ନୂଆଦିଲ୍ଲୀ: ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଦିନିକିଆ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଓ୍ବାନଡେ’ ଇଣ୍ଟରନ୍ୟାସନାଲ୍ ଖେଳାଯିବ । ଏନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ବାରବାଟୀ ଦିନିକିଆ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହେବ । ଅପରାହ୍ଣ ୪ଟାରୁ ଅନଲାଇନ୍ ପୋର୍ଟାଲ ଖୋଲିବ । ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍ରେ ବିକ୍ରି କରାଯିବ । ପରେ ଅଫଲାଇନରେ ଟିକେଟ୍ ବିକ୍ରି ହେବ । ଏଥିପାଇଁ ଚାରୋଟି କାଉଣ୍ଟର କରାଯାଉଛି । ପୁରୁଷଙ୍କ ପାଇଁ ଦୁଇଟି କାଉଣ୍ଟର ଖୋଲାଯାଇଥିବା ବେଳେ ପ୍ରଥମ ଥର ମହିଳାଙ୍କ ପାଇଁ ଟିକେଟ୍ କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍ କାଉଣ୍ଟରରେ ଶୃଙ୍ଖଳାର ସହିତ ଟିକେଟ୍ ବିକ୍ରି ପାଇଁ ଓସିଏ ପକ୍ଷରୁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ଶନିବାର ବିଳମ୍ବିତ ରାତିରେ କଟକ ଡିସିପି ଏବଂ ଓସିଏ କର୍ତ୍ତୃପକ୍ଷ ବୁଲି ବ୍ୟାରିକେଟ୍ ଏବଂ ଟ୍ରାଫିକ୍ ବ୍ୟବସ୍ଥାକୁ ନୀରିକ୍ଷଣ କରିଛନ୍ତି ।
ସେହିପରି ଅନଲାଇନ୍ ଟିକେଟ୍ ବିକ୍ରିରେ ଦର୍ଶକଙ୍କ ପସନ୍ଦଯୋଗ୍ୟ ୧ ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ୍ ବକ୍ସ ଟିକେଟ୍ ଉପଲବ୍ଧ ହେବ ନାହିଁ । ୧ ଓ ୩ ନମ୍ବର ଗ୍ୟାଲେରୀ ପଡିଆ ପାଶ୍ୱର୍ରେ ରହିଥିବାରୁ କ୍ରିକେଟପ୍ରେମୀ ଏହି ଗ୍ୟାଲେରୀ ଟିକେଟ୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି । କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ୍ ନଥିବାରୁ କ୍ରିକେଟପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ୟାଲେରୀ ନମ୍ବର ୨, ୪, ୭ ସହିତ ସ୍ପେଶାଲ୍ ଏନ୍କ୍ଲୋଜର୍, ଏସି ଗ୍ୟାଲେରୀ ବକ୍ସ ଓ ନ୍ୟୁ ପ୍ୟାଭିଲିୟନ ଟିକେଟ୍ ଉପଲବ୍ଧ ରହିବ । ଡିଷ୍ଟ୍ରିକ୍ଟ ଆପ୍ଲିକେସନ୍ ମାଧ୍ୟମରେ କ୍ରିକେଟପ୍ରେମୀ ଅନଲାଇନ୍ ଟିକେଟ ବୁକ୍ କରିପାରିବେ । ଏହି ଆପ୍କୁ ଡାଉନ୍ଲୋଡ୍ କରି ନିଜ ପସନ୍ଦର ସିଟ୍ ଚୟନ କରିପାରିବେ ଦର୍ଶକ ।
କେମିତି କରିବେ ଅନ୍ଲାଇନ୍ ଟିକେଟ ବୁକିଂ:-
ଡିଷ୍ଟ୍ରିକ୍ଟ ଆପ୍ କିମ୍ବା ଡିଷ୍ଟ୍ରିକ୍ଟ.ଇନ୍ ୱେବ୍ସାଇଟରେ ପ୍ରବେଶ କରିବାକୁ ହେବ ସେଠାରେ ଥିବା ମ୍ୟାଚ୍ ବ୍ୟାନରରେ ବାରବାଟୀ ଷ୍ଟାଡିୟମ୍ ଭେନ୍ୟୁକୁ କ୍ଲିକ୍ କରିବେ । ଭେନ୍ୟୁକୁ କ୍ଲିକ୍ କରିବା ପରେ ସେଠାରେ ଦେଖାଯିବାକୁ ଥିବା ‘ବୁକ୍ ଟିକେଟ୍ସ’ ଉପରେ କ୍ଲିକ୍ କରିବାକୁ ହେବ । ‘ବାଏ ନାଓ’ ଉପରେ କ୍ଲିକ୍ କରିବାକୁ ହେବ । ପରେ ଚୁଜ୍ ଟିକେଟ୍ ଭାଗକୁ ଚୟନ କରିବା ପରେ ଷ୍ଟାଡିୟମ୍ର କେଉଁ ଷ୍ଟାଣ୍ଡ୍କୁ ପସନ୍ଦ କରିବେ ତାହା ଉପରେ କ୍ଲିକ୍ କରିବାକୁ ହେବ । ‘କଣ୍ଟିନିଉ’ ଚୟନ କରିବା ପରେ ଅନଲାଇନ୍ ପେମେଣ୍ଟ୍ ଦାଖଲ କରିବାକୁ ହେବ ୟୁପିଆଇ, ନେଟ୍ ବ୍ୟାଙ୍କିଂ ଓ କାର୍ଡ ମାଧ୍ୟମରେ ପେମେଣ୍ଟ ଦାଖଲ କରିବେ । ଟିକେଟ ନିଶ୍ଚିତ ହୋଇଯିବା ପରେ ଆପ୍, ଇ-ମେଲ୍ରେ ମେସେଜ୍ ଆସିବ ଇ-ମେଲ୍ରେ ଏକ କ୍ୟୁଆର୍ କୋଡ୍ ଯିବ । ବୁକ୍ ହୋଇଥିବା ଟିକଟ୍ ଗ୍ରହଣ କରିବା ସମୟରେ ଏହି କ୍ୟୁଆର୍ କୋଡ୍କୁ ଦେଖାଇବାକୁ ହେବ ।