ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ଲେଖାଯିବ ପାକିସ୍ତାନ ନାଁ, ଜାଣନ୍ତୁ କାରଣ

Published By : Prameya-News7 Bureau | January 22, 2025 IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ । ପାକିସ୍ତାନ ଏହାର ଆୟୋଜକ ହୋଇଥିବା ବେଳେ ହାଇବ୍ରିଡ୍ ମଡେଲରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଏହାରି ଭିତରେ କିଛି ରିପୋର୍ଟରେ ଦାବି କରାଯାଉଥିଲା ଯେ ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜ ଜର୍ସିରେ ପାକିସ୍ତାନର ନାଁ ଲେଖିବାକୁ ମନା କରିଦେଇଛି । ଉଲ୍ଲେଖଯୋଗ୍ୟ ଯେ ଯେଉଁ ଦେଶ ଟୁର୍ଣ୍ଣାମେଣ୍ଟକୁ ହୋଷ୍ଟ କରିଥାଏ, ତାର ନାଁ ଟିମର ଜର୍ସି ଉପରେ ଲେଖା ରହିଥାଏ । ତେବେ ଏହି ଖବର ସାମନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏବେ ଏହି ପ୍ରସଙ୍ଗରେ ବିସିସିଆଇ ବଡ଼ ବୟାନ ଦେଇଛି ।

ଆଇସିସି ନିୟମ ଅନୁସାରେ, ଯେଉଁ ସବୁ ଟୁର୍ଣ୍ଣାମେଣ୍ଟ ଆଇସିସି ବ୍ୟାନର ତଳେ ଆୟୋଜନ ହୁଏ, ସେଥିରେ ଅଂଶଗ୍ରହଣ କରୁଥିବା ସବୁ ଟିମଙ୍କୁ ନିଜ ଛାତିର ଡାହାଣ ପଟେ ଟୁର୍ଣ୍ଣାମେଣ୍ଟର ନାଁ ଏବଂ ଆୟୋଜକ ଦେଶର ନାଁ, ଟୁର୍ଣ୍ଣାମେଣ୍ଟ ଆୟୋଜନ ବର୍ଷ ଲେଖିବା ବାଧ୍ୟତାମୂଳକ । ବିସିସିଆଇର ନୂଆ ସଚିବ ଦେବଜିତ୍ ସୌକିୟା ଏବେ ସ୍ପଷ୍ଟ କହିଛନ୍ତି ଯେ ଚାମ୍ପିଅନ ଟ୍ରଫି ବେଳେ ବିସିସିଆଇ ଜର୍ସି ସହ ଜଡିତ ଆଇସିସିର ସବୁ ନିୟମକୁ ପାଳନ କରିବ । ଅର୍ଥାତ୍ ଟିମ୍ ଇଣ୍ଡିଆର ଜର୍ସିରେ ଆୟୋଜକ ଦେଶ ପାକିସ୍ତାନର ନାଁ ରହିବ ।

ପାକିସ୍ତାନ ମିଡିଆ ଏହି ପ୍ରସଙ୍ଗକୁ ଉଠାଇ ବିସିସିଆଇ ଟିମ୍ ଇଣ୍ଡିଆ ଜର୍ସିରେ ନାଁ ଲେଖିବାକୁ ମନା କରୁଥିବା ଅଭିଯୋଗ କରିଥିଲା । ପିସିବି ଏହି ପ୍ରସଙ୍ଗକୁ ଆଇସିସି ନିକଟକୁ ନେବା ପାଇଁ ଚାହୁଁଥିଲା । କିନ୍ତୁ ବିସିସିଆଇ ଏବେ ଏହି ଖବରକୁ ଖଣ୍ଡନ କରିଛି ଏବଂ ଆଇସିସିର ସବୁ ନିୟମ ପାଳନ କରିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.