ନୂଆଦିଲ୍ଲୀ: ସମାନତା କ୍ଷେତ୍ରରେ ଚୀନ, ଆମେରିକା ଭଳି ରାଷ୍ଟ୍ରକୁ ପଛରେ ପକାଇଲା ଭାରତ। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ, ଭାରତର ଗିନି ଇଣ୍ଡେକ୍ସ ଏବେ ୨୫.୫ ହୋଇଛି। ଫଳରେ ଚତୁର୍ଥ ବଡ଼ ଅର୍ଥନୀତିର ଦେଶ ଥିବା ଭାରତ ଏବେ ଚତୁର୍ଥ ସମାନତାର ଦେଶ ହୋଇଛି। ଏହି ତାଲିକାରେ ସ୍ଲୋବାକ ରିପବ୍ଲିକ୍, ସ୍ଲୋବେନିଆ ଓ ବେଲାରୁସ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ପ୍ରକୃତରେ, ଗିନି ଇଣ୍ଡେକ୍ସ ଏକ ପଦ୍ଧତି ଯାହା ଦର୍ଶାଏ ଯେ ଗୋଟିଏ ଦେଶର ଲୋକଙ୍କ ମଧ୍ୟରେ ଆୟ, ସମ୍ପତ୍ତି କିମ୍ବା ଉପଭୋଗ କେତେ ସମାନ ଭାବରେ ବଣ୍ଟାଯାଏ। ଏହାର ସ୍କୋର ୦ ରୁ ୧୦୦ ପର୍ଯ୍ୟନ୍ତ ରହିଛି। ୦ ଅର୍ଥ ହେଉଛି ଦେଶର ଜନତାଙ୍କ ପାଇଁ ସବୁକିଛି ସମାନ, ଆଉ ୧୦୦ ଅର୍ଥ ହେଉଛି ସବୁକିଛି କେବଳ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଛି। ଏ ଦିଗରେ ଚୀନର ସ୍କୋର (୩୫.୭) ଏବଂ ଆମେରିକା (୪୧.୮) ରହିଥିବା ବେଳେ ସେହି ଦୁଳନାରେ ଭାରତର ବହୁତ କମ୍ ବ୍ୟବଧାନ ରହିଛି। ଅର୍ଥାତ ବିକଶିତ ଦେଶ ଅପେକ୍ଷା ସମାନତା ଦିଗରେ ଭାରତ ଭଲ ପ୍ରଦର୍ଶନ କରିଛି।
ଗିନି ଇଣ୍ଡେକ୍ସରେ ଭାରତର ଭଲ ପ୍ରଦର୍ଶନ କୌଣସି ସଂଯୋଗ ନୁହେଁ ବରଂ ଦାରିଦ୍ର୍ୟ ଦୂରିକରଣରେ ମିଳିଥିବା ସଫଳତା ଯୋଗୁ ହୋଇଛି ବୋଲି ସରକାର କହିଛନ୍ତି। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଗତ ଦଶ ବର୍ଷ ମଧ୍ୟରେ ୧୭.୧ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରୁ ବାହାରି ଆସିଛନ୍ତି। ୨୦୧୧-୧୨ ମସିହାରେ ଭାରତରେ ଦାରିଦ୍ର୍ୟ ସୀମା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ୧୬.୨% ଥିଲା। ୨୦୨୨-୨୩ ମସିହାରେ ଏହା ହ୍ରାସ ପାଇ ୨.୩% ହୋଇଗଲା। ଦୈନିକ ୨.୧୫ ଡଲାରରୁ କମ୍ ରୋଜଗାର କରୁଥିବା ଲୋକ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଶ୍ୱ ବ୍ୟାଙ୍କ ନୂଆ ଦାରିଦ୍ର୍ୟ ସୀମା ପ୍ରତିଦିନ ୩ ଡଲାର ସ୍ଥିର କରିଛି। ଏହା ଅନୁଯାୟୀ, ୨୦୨୨-୨୩ ମସିହାରେ ଦାରିଦ୍ର୍ୟ ହାର ୫.୩% ହେବ।
ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ILO) ମଧ୍ୟ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟ ଅନୁଯାୟୀ ଗତ ୧୧ ବର୍ଷ ମଧ୍ୟରେ ଭାରତର ସାମାଜିକ ସୁରକ୍ଷାରେ ବହୁତ ଉନ୍ନତି ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ ରେ କେବଳ ୧୯ ପ୍ରତିଶତ କଭରେଜ୍ ଥିବା ବେଳେ ୨୦୨୫ ରେ ଏହା ୬୪.3% କୁ ବୃଦ୍ଧି ପାଇଛି। ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କେନ୍ଦ୍ର ଦ୍ୱାରା ପରିଚାଳିତ ସରକାରୀ ଯୋଜନାଗୁଡ଼ିକ ମଧ୍ୟ ଏହି ସଫଳତା ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।