ନୂଆଦିଲ୍ଲୀ: ଲଞ୍ଚିଂ ପୂର୍ବରୁ ସଙ୍କଟରେ ମହିନ୍ଦ୍ରାର ଇଲେକ୍ଟ୍ରିକ କାର BE 6e। କାରଣ ଦେଶର ସବୁଠୁ ବଡ଼ ଏୟାରଲାଇନ ଇଣ୍ଡିଗୋର ପରିଚାଳନା କରୁଥିବା ଇଣ୍ଟରଗ୍ଲୋବ୍ ଆଭିଏସନ ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ ଲିମିଟେଡ ଉପରେ ଆଣିଛି ଟ୍ରେଡମାର୍କ ଉଲ୍ଲଂଘନ ଅଭିଯୋଗ । ଅଭିଯୋଗ ସହ ଇଣ୍ଡିଗୋ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ମଧ୍ୟ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୯ରେ ହୋଇପାରେ।
ପ୍ରକୃତରେ ଆଭିଏସନ କ୍ଷେତ୍ରରେ କୌଣସି ଏୟାରକ୍ରାଫ୍ଟକୁ ଅକ୍ଷର କିମ୍ବା ସଂଖ୍ୟା ଦ୍ବାରା ଚିହ୍ନଟ କରାଯାଇଥାଏ। ଏହାକୁ କଲ୍ସାଇନ୍ କୁହାଯାଏ। ଆଉ ଇଣ୍ଡିଗୋ ଏୟାର ଲାଇନର ଏୟାରକ୍ରାଫ୍ଟର କଲସାଇନ୍ ହେଉଛି 6E।
ତେବେ ଇଣ୍ଡିଗୋ ପାଇଁ 6E କେବଳ କଲସାଇନ୍ ହିଁ ନୁହେଁ ବରଂ ଏହି ଶବ୍ଦ କମ୍ପାନି ବ୍ରାଣ୍ଡିଂର ମଧ୍ୟ ଏକ ପ୍ରମୁଖ ଅଂଶ। 6E ମାଧ୍ୟମରେ କମ୍ପାନି ଅନେକ ଅଫର ମଧ୍ୟ ପ୍ରଦାନ କରିଥାଏ। 6E Prime ଦ୍ବାରା ଇଣ୍ଡିଗୋ ବିମାନରେ ଗ୍ରାହକଙ୍କୁ ମନ ପସନ୍ଦ ସିଟ୍ ବାଛିବା, ନିଃଶୁଳ୍କ ଜଳଖିଆ ଭଳି ସୁବିଧା ପ୍ରଦାନ କରିଥାଏ। ସେହିଭଳି 6E Flexରେ କମ୍ପାନି ଅନଲିମିଟେଡ ରିସିଡ୍ୟୁଲିଙ୍ଗ ଏବଂ କ୍ୟାନସଲେସନର ସୁବିଧା ପ୍ରଦାନ କରିଥାଏ। ସେହିଭଳି, 6E add ons ଯାତ୍ରୀଙ୍କୁ ଅତିରିକ୍ତ ସାମଗ୍ରୀ, ପୂର୍ବରୁ ବୁକ୍ କରିଥିବା ଭୋଜନ ଏବଂ ଲାଉଞ୍ଜ ଆକ୍ସେସ ଭଳି କଷ୍ଟମାଇଜ ସୁବିଧା ପ୍ରଦାନ କରିଥାଏ।
ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ୨୦୧୫ରେ କ୍ଲାସ୍ ୯, ୩୫, ୩୯ ଏବଂ ୧୬ ଅନୁଯାୟୀ ଏହି ଶବ୍ଦ 6E ପାଇଁ ପଞ୍ଜିକରଣ କରିଥିଲା। ଏହା ଅନୁଯାୟୀ, ଇଣ୍ଡିଗୋ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ଦେଖାଇବା ଏବଂ ନିଜର ପ୍ରଚାର ପ୍ରସାର କରିବା ପାଇଁ 6Eର ବ୍ୟବହାର କରିଥାଏ।
ଏଇଠୁ ଆରମ୍ଭ ହୋଇଛି ଦ୍ବନ୍ଦ୍ବ
ଗତ ସପ୍ତାହରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏହାର ନୂଆ ଇଲେକ୍ଟ୍ରିକ ଏସୟୁଭି BE 6E ଏବଂ XEV 9Eର ଅନାବରଣ କରିଥିଲା। ଏହି କାର୍ ଆସନ୍ତା ବର୍ଷ ଫେବୃଆରୀ ମାର୍ଚ୍ଚରୁ ଏହାର ଡେଲିଭରି ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ହେଲେ ଇଣ୍ଡିଗୋର କହିବା ଅନୁଯାୟୀ, 6E ଶବ୍ଦର ଟ୍ରେଡମାର୍କ ତା’ ପାଖରେ ରହିଛି। ହେଲେ ମହିନ୍ଦ୍ରା ଏହାକୁ ବ୍ୟବହାର କରି ଟ୍ରେଡମାର୍କର ଉଲ୍ଲଂଘନ କରିଛି।
ସେପଟେ ଇଣ୍ଡିଗୋ ଲଗାଇଥିବା ଟ୍ରେଡମାର୍କ ଉଲ୍ଲଂଘନ ଅଭିଯୋଗର ସଫେଇ ରଖିଛି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା। କାର୍ ନିର୍ମାତା କମ୍ପାନି କହିଛି ଯେ, ଏଥିରେ କୌଣସି ବିବାଦ ହେବା ଭଳି ଦେଖାଯାଉନାହିଁ କାରଣ ମହିନ୍ଦ୍ରାର ନୂଆ କାରର ନାଁ ହେଉଛି BE 6E । ମହିନ୍ଦ୍ରା BE 6E ପାଇଁ ଟ୍ରେଡମାର୍କ ରେଜିଷ୍ଟ୍ରେସନ କ୍ଲାସ ୧୨ (ବାହନ) ଅନୁଯାୟୀ ଆବେଦନ କରିଛି। କେବଳ 6E ନୁହେଁ। ଏହା ଇଣ୍ଡିଗୋର 6E ଠାରୁ ଭିନ୍ନ। 6E ଏୟାରଲାଇନକୁ ଦର୍ଶାଉଛି। ତେଣୁ ଏହାଦ୍ବାରା କୌଣସି ଭ୍ରମ ହେବନାହିଁ।