ଇମ୍ଫାଲ ୯।୧୨: ମଣିପୁର ସରକାର ସୋମବାର ରାଜ୍ୟର ୯ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ଉପରେ ଜାରି କରିଥିବା କଟକଣା ହଟେଇ ଦେଇଛନ୍ତି। ସରକାରଙ୍କ ଗୃହ ବିଭାଗ ଏକ ଆଦେଶ ଜାରି କରି ମୋବାଇଲ ଇଣ୍ଟରନେଟ୍ ସେବାରେ ଜାରି ଅସ୍ଥାୟୀ କଟକଣା ପ୍ରତ୍ୟାହାର କରିନେଇଥିବା କହିଛନ୍ତି। ସରକାର ପଶ୍ଚିମ ଇମ୍ଫାଲ ସମେତ ପୂର୍ବ ଇମ୍ଫାଲ, ବିଷ୍ଣୁପୁର, ଥୌବଲ, କାକଚିଙ୍ଗ, ଜେରିବାମ, ଚୁରାଚାନ୍ଦପୁର, କାଙ୍ଗପୋକପି ଓ ଫେରଜାବଲ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଇଣ୍ଟରନେଟ ସେବା ସହ ଏହାର ସମ୍ବଦ୍ଧ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।
ଗୃହ ବିଭାଗ ଆୟୁକ୍ତ ଏନ.ଅଶୋକ କୁମାର ଆଦେଶରେ କହିଛନ୍ତି ଯେ ରାଜ୍ୟ ସରକାର ବର୍ତ୍ତମାନର ଆଇନଶୃଙ୍ଖଳା ପରିସ୍ଥିତି ଓ ଇଣ୍ଟରନେଟ ସେବାର ସ୍ୱଭାବିକ ସଞ୍ଚାଳନ ସହିତ ସମ୍ପର୍କ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଉପରୋକ୍ତ ୯ ଜିଲ୍ଲାରେ ଇଣ୍ଟରନେଟ୍ ଓ ଡାଟା ସେବା ଉପରେ ଜାରି ସବୁ ପ୍ରକାର ଅସ୍ଥାୟୀ ନିଲମ୍ବନକୁ ତତ୍କାଳ ପ୍ରଭାବରେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ମାସରେ ୩ ମହିଳା ଓ ୩ ପିଲାଙ୍କ ଶବ ଜିରି ଓ ବରାକ ନଦୀରେ ମିଳିବା ପରେ ରାଜ୍ୟରେ ପୁଣି ହିଂସା ଉପୁଜିଥିଲା।
ଏଣୁ ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ନଭେମ୍ବର ୧୬ ତାରିଖରେ ୯ ଜିଲ୍ଲାର ଇଣ୍ଟରନେଟ୍ ସେବା ନିଲମ୍ବିତ କରିଦେଇଥିଲେ। ପରିସ୍ଥିତିକୁ ଦେଖି ଅନେକ ବାର ମୋବାଇଲ ଇଣ୍ଟରନେଟ୍ କଟକଣାକୁ ଆଗକୁ ବଢାଯାଇଥିଲା। ଏବେ ପରିସ୍ଥିତି ସ୍ୱଭାବିକ ହେବାରୁ କଟକଣା ହଟାଇବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସରକାର ସ୍ୱାସ୍ଥ୍ୟ ସୁବିଧା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟଙ୍କ ସମସ୍ୟାକୁ ଦେଖି ନଭେମ୍ବର ୧୯ ତାରିଖରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଉପରୁ କଟକଣା ହଟାଇ ଥିଲେ।
ମୋବାଇଲ ଇଣ୍ଟରନେଟ୍ ସେବା ଉପରୁ କଟକଣା ହଟାଇ ସରକାର ଲୋକଙ୍କୁ ଏପରି ଗତିବିଦ୍ଧିରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଯେଉଁଥି ପାଇଁ ଆଇନ ଶୃଙ୍ଖଳା ପ୍ରଭାବିତ ହେବ। ସରକାର ସ୍ପଷ୍ଟ ରୂପେ କହିଛନ୍ତି ଯେ ଯଦି ଆଇନ ଶୃଙ୍ଖଳା ପ୍ରତି ବିପଦ ଉପୁଜେ ତେବେ ପୁଣି ଥରେ ଇଣ୍ଟରନେଟ୍ କଟକଣା ଲଗାଇ ଦିଆଯିବ। ଗତ ମେ ମାସରୁ ମଣିପୁରରେ ହିଂସା ଉପୁଜିଛି। ଇମ୍ଫାଲ ଘାଟିରେ ରହୁଥିବା ମୈତଇ ସମୂଦାୟ ଓ ଆଖାପାଖର ପାହାଡିଆ ଅଞ୍ଚଳରେ ରହୁଥିବା କୁକି-ଜୋ ସମୂହଙ୍କ ମଧ୍ୟରେ ଜାତିଗତ ହିଂସା ଜାରି ରହିଛି। ଫଳରେ ଏପର୍ଯ୍ୟନ୍ତ ୨୫୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ବାସହରା ହୋଇଛନ୍ତି।