ସେନାପତି ଖୋଜୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ; ହଟିବେ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗେଲଣ୍ଟ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ସୈନ୍ୟବାହିନୀ ପାଇଁ ସେନାପତି ଖୋଜୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଖୁବଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ପରିବର୍ତ୍ତନ ହେବେ । ରକ୍ଷା ମନ୍ତ୍ରୀ ୟୋଆବ ଗେଲଣ୍ଟଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହମାସ, ହିଜିବୁଲ୍ଲା ଏବଂ ୟମେନ ବିରୋଧୀରେ ଭୀଷଣ ଲଢ଼େଇ ଜାରି ରଖିଛି ଇସ୍ରାଏଲ ସେନା । ହେଲେ ଦେଶ ଭିତରରେ ସ୍ଥିତି ଠିକ୍ ନାହିଁ । ହମାସ ଆତଙ୍କବାଦୀଙ୍କ ଦ୍ବାରା ପଣବନ୍ଦୀଙ୍କୁ ନେଇ ଦେଶର ଅସନ୍ତୋଷ ବଢ଼ିବାରେ ଲାଗିଛି ।  ଏହି ବିରୋଧ ଭିତରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗେଲଣ୍ଟଙ୍କୁ ହଟାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗେଲଣ୍ଟ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ କିଛି ଦିନ ହେଲା ତୁ ତୁ ମେଁ ମେଁ ଚାଲିଥିଲା । ଏବେ ଅଚାନକ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଖବର ସମସ୍ତଙ୍କୁ ଚମକାଇ ଦେଇଛି ।

ଇସ୍ରାଏଲ ସରକାରୀ ମିଡିଆ ପିଏମ୍ ବ୍ୟୁରୋର ଜଣେ ଅଧିକାରୀ ମାଧ୍ୟମରେ ସ୍ପଷ୍ଟ ହୋଇଛି, ମନ୍ତ୍ରୀ ବଦଳାଇବା ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଆବ ଗେଲଣ୍ଟଙ୍କ ମଧ୍ୟରେ ଆଲୋଚନା ହୋଇଛି । କିଛି ଦିନ ହେଲା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବା ନେଇ ତାଙ୍କ କ୍ୟାବିନେଟରେ ବିରୋଧାଭାଷ ଉଠୁଥିଲା । ତେବେ ଇସ୍ରାଏଲ ସେନାବାହିନୀର କିଏ ହେବେ ନୂଆ ସେନାପତି ତାହା ଏବେ ପ୍ରଶ୍ନବାଚୀ । ୟୋଆବ ଗେଲଣ୍ଟ ସ୍ଥାନରେ ନ୍ୟୁ ହୋପର ଅଧ୍ୟକ୍ଷ ଗିଦୋନ ସା’ ଆର୍ ଙ୍କୁ ଦାୟିତ୍ବ ମିଳିବ ବୋଲି କୁହାଯାଉଛି । ଇସ୍ରାଏଲୀ ଟିଭି ଚ୍ୟାନେଲ 12ର ରିପୋର୍ଟ ମୁତାବକ, ଗିଦୋନ ଯଦି ପ୍ରତିରକ୍ଷା ମନ୍ତ୍ରୀ ପଦ ନମିଳେ, ତାଙ୍କୁ ବିଦେଶୀ ମନ୍ତ୍ରୀ ହୋଇପରାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.