ବେରୁଟ ୧୭।୧୧ : ଇସ୍ରାଏଲ ବିମାନ ଆକ୍ରମଣରେ ହିଜବୁଲ ସଙ୍ଗଠନର ମୁଖ୍ୟ ମୁଖପାତ୍ର ମହମ୍ମଦ ଅଫିଫର ମୃତ୍ୟୁ ହୋଇଛି। ହିଜବୁଲର ଜନୈକ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣ ୧୭ ନଭେମ୍ବର ରବିବାର ରାଜଧାନୀ ବେରୁଟର କେନ୍ଦ୍ରାଞ୍ଚଳ ରାସ ଅଲ-ନବା’ଆ ରେ ହୋଇଛି। ତେବେ ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଅଞ୍ଚଳ ଖାଲି କରିବା ପାଇଁ କୌଣସି ଘୋଷଣା କରିନଥିଲା। ମହମ୍ମଦ ଆଫିଫ ହିଜବୁଲର ପ୍ରମୁଖ ମୁଖପାତ୍ରଙ୍କ ମଧ୍ୟରେ ଜଣେ ଥିଲା।
ଆଫିଫ ଗତ ସେପ୍ଟେମ୍ବର ମାସରୁ ସଙ୍ଗଠନ ପାଇଁ ସକ୍ରିୟ ରୂପେ କାମ କରୁଥିଲା। ଏହା ଛଡା ହିଜବୁଲ ନେତା ହସନ ନସରଲ୍ଲାହର ମୃତ୍ୟୁ ପରେ ଅଫିଫ ଉପରେ ସଙ୍ଗଠନର ଗୁରୁଦାୟିତ୍ୱ ନ୍ୟସ୍ତ ଥିଲା। ଆଫିଫ ନିଜ ଭାଷଣ ଓ ସାର୍ବଜନିକ ଉପସ୍ଥିତିରେ ଲେବାନନରେ ହିଜବୁଲ୍ଲାର ସ୍ଥିତିକୁ ଅଧିକ ମଜଭୁତ କରିଥିଲା। ଏହା ପୂର୍ବରୁ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘରୋଇ ଆବାସ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଇସ୍ରାଏଲ ଏହାକୁ ହିଜବୁଲର କାରନାମା ବୋଲି ସନ୍ଦେହ କରୁଛି।
ପଶ୍ଚିମ ଏସିୟ ଗଣମାଧ୍ୟମରେ ଆଫିଫର ମୃତ୍ୟୁକୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଘରେ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ରୂପେ ଦେଖାଯାଉଛି। ତେବେ ନେତନ୍ୟାହୁଙ୍କ ଘର ଉପରେ ହୋଇଥିବା ଆକ୍ରମଣରେ କେହି ମୃତାହତ ହୋଇ ନାହାନ୍ତି। ସୁରକ୍ଷା ଏଜେନ୍ସୀ ଏକ ମିଳିତ ବୟାନରେ କହିଛନ୍ତି ଯେ ଘଟଣା ବେଳେ ନେତନ୍ୟାହୁ ଅଥବା ତାଙ୍କ ପରିବାରର କେହି ସଦସ୍ୟ ଘରେ ନଥିଲେ। ତେବେ ଗୁଇନ୍ଦା ଏଜେନ୍ସୀ ସିନବେଟ୍ ଏହି ଘଟଣାର ଅନୁସନ୍ଧାନ ଚାଲିଥିବା କହିଛି।