ମୁମ୍ଵାଇ ୧୭।୧୧; ସ୍କୁଲରେ ବଡ଼ଧରଣର ହତ୍ୟାକାଣ୍ଡ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ । ୧୭ ଜଣ ଆହତ ହୋଇଛନ୍ତି । ଏହିଭୟଙ୍କର ହତ୍ୟାକାଣ୍ଡ ପୂର୍ବ ଚୀନର ଏକ ବିଜନେସ୍ ସ୍କୁଲରେ ଘଟିଛି । ୨୧ ବର୍ଷର ଆକ୍ରମଣକାରୀ ପୂର୍ବତନ ଛାତ୍ରକୁ ପୋଲିସ ଗିରଫ କରିଛି। ରିପୋର୍ଟ ଅନୁସାରେ ଜିଆଙ୍ଗସୁ ପ୍ରଦେଶର ୟିକ୍ସିଙ୍ଗ ସହରରେ ଏହି ହତ୍ୟାକାଣ୍ଡ ଘଟିଛି। ଉକ୍ସି ଭୋକେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟସ ଆଣ୍ଡ ଟେକ୍ନୋଲୋଜିରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ନେଇ ୟିକ୍ସିଂର ପୋଲିସ ଏକ ବିବୃତି ଜାରି କରିଛି।
ଏନେଇ ପୋଲିସ୍ ଗଣମାଧ୍ୟମକୁ କହିଛି ଯେ ଆକ୍ରମଣକାରୀ ସ୍କୁଲର ପୂର୍ବତନ ଛାତ୍ର । ଚଳିତ ବର୍ଷ ସ୍ନାତକ ପାସ୍ କରିବାର ଥିଲା । କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇ ଯାଇଥିଲା । ସେ ପରୀକ୍ଷାରେ ଫେଲ୍ ହେବା ପରେ ଅସନ୍ତୁଷ୍ଟ ଥିଲା। ତେଣୁ ସ୍କୁଲ୍କୁ ଯାଇ ନିଜର କ୍ରୋଧ ପ୍ରକାଶ କରିବା ସହ ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଅଭିଯୁକ୍ତ ନିଜେ ଅପରାଧ କରିଥିବା ନେଇ ମଧ୍ୟ ସ୍ୱୀକାର କରିଛି। ପୋଲିସ କହିଛି ଆହତଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି । ଚୀନରେ ହିଂସାତ୍ମକ ଛୁରାମାଡ଼ ଘଟଣା ଏକ ସାଧାରଣ କଥା। ଏହା ପୂର୍ବରୁ ମଧ୍ୟ ଅନେକ ଘଟିଛି। କିନ୍ତୁ ଏକାସାଙ୍ଗରେ ଏତେ ସଂଖ୍ୟକ ଲୋକଙ୍କ ଉପରେ ଆକ୍ରମଣ ବିରଳ ଘଟଣା ।
ନିକଟରେ ଚୀନ୍ରୁ ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଥିଲା। ଗୋଟେ କାର୍ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଥିଲା । ଫଳରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଥିଲେ । ଦୁର୍ଘଟଣାର ଏପରି ଭୟଙ୍କର ଚିତ୍ର ଚୀନ୍ରୁ ଆସିଥିଲା । ମୃତ୍ୟୁର ଏପରି ଭୟଙ୍କର ତାଣ୍ତବ ମଚାଇଥିବା କାର୍ଟି ନିୟନ୍ତ୍ରଣ ହରାଇ ଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ୬୨ ବର୍ଷୀୟ କାର୍ ଚାଳକଙ୍କୁ ଗିରଫ କରିଥିଲା ପୋଲିସ ।