‘ଚୌକି ଖୋଜିବା ସହଜ ନୁହେଁ, ସୁଯୋଗ ମିଳିଲେ ମାଡ଼ି ବସ’, ଶିବକୁମାରଙ୍କ ବୟାନରେ କର୍ଣ୍ଣାଟକ ରାଜନୀତି ସରଗରମ

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜନୀତିରେ ଏବେ ‘ଚୌକି’କୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । କଂଗ୍ରେସ କର୍ମୀଙ୍କ ମଧ୍ୟରୁ ଅନେକ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଥିବା ବେଳେ ଅନେକ ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ରୁହନ୍ତୁ ବୋଲି ଦାବି କରୁଛନ୍ତି । ନିଜେ ଶିବକୁମାର, ସିଦ୍ଦରମୈୟା ଏହା ଉପରେ କୌଣସି ବୟାନ ଦେଉ ନାହାନ୍ତି । ସରକାରରେ ମତଭେଦ ଖବରକୁ ବି ମନା କରୁଛନ୍ତି । ଏହାରି ଭିତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଚୌକି ଉପରେ ଏପରି କିଛି ବୟାନ ଦେଇଛନ୍ତି, ଯାହାକୁ ନେଇ ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି । ବେଙ୍ଗାଲୁରୁ ବାର୍ ଆସୋସିଏସନ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶିବକୁମାର କହିଛନ୍ତି ଚୌକି ଖୋଜିବା କଷ୍ଟ । ଆଉ ଯେତେବେଳେ ଆପଣଙ୍କୁ ଚୌକି ମିଳେ, ତେବେ ତାହା ଉପରେ ଏପରି ବସନ୍ତୁ ଯେ ଆଉ କେହି ଉଠାଇ ପାରିବେ ନାହିଁ । ଏବେ ତାଙ୍କ ବୟାନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନୂଆ ବଳ ଦେଇଛି ।

ଡିକେ ଶିବକୁମାର ଉପସ୍ଥିତ ଆଇନଜୀବୀଙ୍କୁ ସମ୍ୱୋଧିତ କରି କହିଥିଲେ, 'ମୁଁ ଦେଖୁଛି ଯେ ସାମନାରେ ଅନେକ ଚୌକି ଖାଲି ପଡ଼ିଛି । ଏହା ସତ୍ତ୍ୱେ ଅନେକ ଓକିଲ ଛିଡ଼ା ହୋଇଛନ୍ତି । ଅନ୍ୟପଟେ ଆମେ ସମସ୍ତେ ଗୋଟିଏ ଚୌକି ଖୋଜିବା ପାଇଁ ସଂଘର୍ଷ କରୁଛୁ । ଏଠାରେ ଅନେକ ଚୌକି ପଡ଼ିଛି, ଆସି ବସି ଯାଆନ୍ତୁ । ଚୌକି ଖୋଜିବା ଏଠି ସହଜ ନୁହେଁ । ଯେତେବେଳେ ସୁଯୋଗ ମିଳେ, ଆସି ବସିଯିବା ଦରକାର । ଖାଲି ନଛାଡ଼ିବା ଦରକାର ।' ଶିବକୁମାର ଆହୁରି କହିଥିଲେ ଯେ ଆପଣଙ୍କୁ ଦେଖି ଲାଗୁଛି ଆପଣମାନେ ତ୍ୟାଗ କରନ୍ତି ।

କଂଗ୍ରେସରେ କ୍ଷମତା ବଣ୍ଟନ ବୁଝାମଣା ଗୁଜବ ମଧ୍ୟରେ ଶିବକୁମାରଙ୍କ ମନ୍ତବ୍ୟ ନୂତନ କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଛି । ତେବେ ଉଭୟ ନେତା ନେତୃତ୍ୱ ପରିବର୍ତ୍ତନକୁ ଅସ୍ୱୀକାର କରୁଛନ୍ତି । ସିଦ୍ଦରମୈୟା ନିଜେ କହିଥିଲେ ଯେ ସେ ତାଙ୍କର କାର୍ଯ୍ୟକାଳ ପୂରଣ କରିବେ । ଗତକାଲି କହିଥିଲେ ଯେ ସେ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ଏବଂ ଦାବି କରିଥିଲେ ଯେ ତାଙ୍କର ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ କୌଣସି କ୍ଷମତା ବଣ୍ଟନ ଚୁକ୍ତିନାମା ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.