ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ କିଛି ନିର୍ଦ୍ଧିଷ୍ଟ ସେବାୟତଙ୍କ ଦ୍ବାରା ପୁରୀର କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାକୁ ୨୪ ଘଣ୍ଟା ବିତି ସାରିଛି। ତଥାପି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ। ଭାଇରାଲ୍ ହେଉଥିବା ଭିଡିଓ ଫୁଟେଜରୁ ଅଭିଯୁକ୍ତ ମାନଙ୍କର ପରିଚୟ ସ୍ପଷ୍ଟ ଜଣାପଡି ସାରିଥିବାବେଳେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସେବାୟତ ମାନଙ୍କୁ ଧରିବାରେ ପୁରୀ ପୋଲିସ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ସେ ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ପୁରୀରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ଙ୍କ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଏପସି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି।
ବିଭିନ୍ନ ବୁଦ୍ଧିଜୀବୀ ଏବଂ ସଂଗଠନ ପକ୍ଷରୁ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଦାବି ଜୋର ଧରିଛି। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହା ଚାପରେ ରହିଛି ପୁରୀ ପୋଲିସ? ଶ୍ରୀମନ୍ଦିର ସମ୍ମୁଖରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଥିବା ବେଳେ କାହିଁକି ଅଭିଯୁକ୍ତଙ୍କୁ ଧରୁନି ପୋଲିସ। ଜଣେ ମହିଳା ସାମ୍ବାଦିକାଙ୍କୁ ସର୍ବସାଧାରଣରେ ଅସଦାଚରଣ ସହିତ ମାଡ ମରା ଯାଇଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନରେ ପୁରୀ ପୋଲିସ ର ହାଲୁକା ମନୋଭାବକୁ ଏବେ ସବୁଆଡେ କଡ଼ା ନିନ୍ଦା କରାଯାଉଛି।
Also read: ବଦଳିବ ସଂୟ ସହାୟକ ଗୋଷ୍ଠୀର ରୂପରେଖ, ହଟିବେ ପୁରୁଣା ସଭାପତି ଓ ସଂପାଦକ
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୁରୀରେ କାର୍ଯ୍ୟରତ ସାମ୍ବାଦିକ। ଆଗାମୀ ୨୪ ଘଣ୍ଟା ଭିତରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ଆକ୍ରମଣ କରିଥିବା ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରା ନଗଲେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ପୁରୀର କାର୍ଯ୍ୟରତ ସାମ୍ବାଦିକ ମାନେ ଚେତାବନୀ ଦେଇଛନ୍ତି। ସେପଟେ ଓଡ଼ିଶା ସାମ୍ବାଦିକ ୟୁନିଅନ ମଧ୍ୟ ପୁରୀ ପୋଲିସର କୋହଳ ମନୋଭାବକୁ କଡା ନିନ୍ଦା କରିଛନ୍ତି।
ଓଡିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତି ଏବଂ ଅନ୍ୟ ବରିଷ୍ଠ ସାମ୍ବାଦିକ ମାନେ ଅଭିଯୁକ୍ତ ସେବାୟତଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ ନକଲେ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରାଯାଇଛି।
ଗତକାଲି ପବିତ୍ର ଶ୍ରୀରାମ ନବମୀରେ ଶ୍ରୀମନ୍ଦିର ସମ୍ମୁଖରେ ଘଟିଥିଲା ଲଜ୍ଜ୍ୟା ଜନକ ଘଟଣା। କିଛି ବିଶୃଙ୍ଖଳିତ ସେବାୟତ ପୁରୀରେ କାର୍ଯ୍ୟରତ ମହିଳା ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। କେବଳ ସେତିକି ନୁହେଁ ଏହାକୁ ବିରୋଧ କରିବାରୁ କିଛି ସେବାୟତ ସଂଘବଦ୍ଧ ହୋଇ ଅନ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। କିଛି ସେବାୟତ ସିଂହଦ୍ଵାର ସମ୍ମୁଖରେ ବେଆଇନ୍ ଭାବରେ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଗଳା ବାଟରେ ଶ୍ରୀମନ୍ଦିରରେ ପ୍ରବେଶ କରାଉଥିବାରୁ ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଥିରେ ପ୍ରତିହିଂସା ପରାୟଣ ହୋଇ କିଛି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ସେବାୟତ ଗତକାଲି ମହିଳା ସାମ୍ବାଦିକା ଲିନୁ ନାୟକ ଏବଂ ତାଙ୍କ ସହିତ ଥିବା ଅନ୍ୟ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଶ୍ରୀମନ୍ଦିର ଭଳି ଏକ ଦେବାଳୟରେ ଏଭଳି ହିଂସା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଭକ୍ତମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ସାମ୍ବାଦିକଙ୍କ ଦାବି ଉପରେ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ କହିଛନ୍ତି ପୋଲିସ ଦ୍ବାରା ସମସ୍ତ ଘଟଣାର ତଦନ୍ତ ଜାରି ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।