ଭରତପୁର ଥାନା ବିବାଦ ମାମଲା : ସମସ୍ତଙ୍କର ସହଯୋଗରୁ ନିର୍ଦ୍ଧାରିତ ସମୟରେ ତଦନ୍ତ ସରିଛି ବୋଲି କହିଲେ ଜଷ୍ଟିସ୍ ସି.ଆର୍. ଦାସ

Published By : Prameya-News7 Bureau | March 12, 2025 IST

କଟକ : ଭରତପୁର ଥାନା ବିବାଦ ମାମଲାର ନ୍ୟାୟିକ ତଦନ୍ତ ସରିଛି । ମଙ୍ଗଳବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସ । ତଦନ୍ତ ସନ୍ତୋଷଜନକ ହୋଇଛି । ସମସ୍ତଙ୍କର ସହଯୋଗ ମିଳିଥିବା କାରଣରୁ ନିର୍ଦ୍ଧାରିତ ସମୟ ଭିତରେ ତଦନ୍ତ ସରିଛି ବୋଲି କହିଛନ୍ତି ଜଷ୍ଟିସ୍ ଦାସ । 

ତଦନ୍ତରେ ୪ଟି ଟର୍ମ ଅଫ ରେଫରେନ୍ସ ଥିଲା । ଶୁଣାଣି ସମୟରେ ୪୨ ଜଣଙ୍କର ସାକ୍ଷଗ୍ରହଣ ପାଇଁ ନୋଟିସ୍ ହୋଇଥିଲା । ସେମାନଙ୍କ ଭିତରୁ ୩ ଜଣ ଆର୍ମି ଅଫିସରଙ୍କ ସାକ୍ଷ ଗ୍ରହଣ କରାଯାଇଛି । ମୋଟ୍ ୨୮୨ ଫର୍ଦ୍ଦର ରିପୋର୍ଟ ଦିଆଯାଇଛି । ଏବଂ ରିପୋର୍ଟର କାର୍ଯ୍ୟକାରିତା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି ଜଷ୍ଟିସ ଚିତ୍ତ ରଞ୍ଜନ ଦାସ କହିଛନ୍ତି ।


ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍‌ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ।  ମାତ୍ର ପୋଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । 

ଏହାକୁ ନେଇ ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ମେଜର୍ ଓ ବାନ୍ଧବୀଙ୍କ ହାଜତରେ ରଖିବା ସହିତ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମେଜରଙ୍କୁ ରାତିସାରା ଥାନା ଲକଅପ୍‌ରେ ବନ୍ଦ କରି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମେଜରଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଚିକିତ୍ସା ପାଇଁ ତାଙ୍କ ବାନ୍ଧବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ  ମାମଲାର ଗମ୍ଭୀରତାକୁ ଦେଖି ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । 

You Can Read:

ବିଧାନସଭାରେ ହାତାହାତି ଘଟଣାକୁ ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡ଼ି ନେତା, ତାରାଙ୍କ ନିଲମ୍ବନ ନିଷ୍ପତ୍ତି ପୁର୍ନବିଚାର କରିବାକୁ ଅନୁରୋଧ  

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.