ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଆଡିଲେଡ୍ରେ ଖେଳା ଯାଇଥିବା ପିଙ୍କ ବଲ୍ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ଚାରି ଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରୋହିତ ବ୍ୟାଟିଂ ସହିତ ଅଧିନାୟକତ୍ଵ ଫିକା ନଜର ଆସିଥିଲେ। ଏହି ସବୁ ମଧ୍ୟରେ ରୋହିତ ଶର୍ମାଙ୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ୧୯୮୩ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ କପିଲ୍ ଦେବ। ସେ କହିଛନ୍ତି ଗୋଟିଏ କି ଦୁଇଟି ପରାଜୟକୁ ନେଇ ରୋହିତ ଶର୍ମାଙ୍କ ନେତୃତ୍ଵ ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ। ଏଥିସହ ରୋହିତ ଶର୍ମା ଶୀଘ୍ର ଫର୍ମକୁ ଫେରିବା ନେଇ କପିଲ୍ ଦେବ ଆଶା ପ୍ରକାଶ କରିଛନ୍ତି।
କପିଲ୍ କହିଛନ୍ତି ରୋହିତଙ୍କୁ ନିଜକୁ ପ୍ରମାଣିତ କରିବାର କୌଣସି ଆବଶ୍ୟକତା ନାହିଁ। ସେ ଅନେକ ବର୍ଷ ଧରି ଭାରତୀୟ କ୍ରିକେଟ୍ ପାଇଁ ବହୁତ କିଛି କରିଛନ୍ତି। ତେଣୁ ତାଙ୍କୁ କେହି ସନ୍ଦେହ କରିବା ଉଚିତ୍ ନୁହେଁ। ମୁଁ ତାଙ୍କୁ ସନ୍ଦେହ କରୁନି। ବାସ୍ ଆଶା କରୁଛି ସେ ଶୀଘ୍ର ଫର୍ମକୁ ଫେରନ୍ତୁ ତାହା ହିଁ ସବୁଠୁ ବଡ଼ କଥା। କେବଳ ଗୋଟିଏ କି ଦୁଇଟି ଖରାପ ପ୍ରଦର୍ଶନକୁ ନେଇ ଯଦି ତାଙ୍କ ଅଧିନାୟକତ୍ଵ ଉପରେ ସନ୍ଦେହ କରିବା, ତେବେ ଲୋକେ ଛଅ ମାସ ପୂର୍ବର କଥା ଭୁଲି ଯାଉଛନ୍ତି। ଯେତେବେଳେ ରୋହିତ ଶର୍ମା ଉଭୟ ବ୍ୟାଟିଂ ଓ ନେତୃତ୍ଵ ବଳରେ ଭାରତକୁ ବିଶ୍ଵ ଚାମ୍ପିଅନ କରାଇଥିଲେ, ସେହି ସମୟରେ ତ କେହି ତାଙ୍କୁ ପ୍ରଶ୍ନ କରି ନ ଥିଲେ। ରୋହିତ ନିଜର ସାମର୍ଥ୍ୟ ଓ ଦକ୍ଷତା ବିଷୟରେ ବେଶ ଅବଗତ। ସେ ଦମଦାର ପ୍ରଦର୍ଶନ ସହ ଫର୍ମକୁ ଫେରିବେ।
Also read: WTC ଫାଇନାଲ୍ର ସବୁଠୁ ନିକଟତର ହେଲା ଦକ୍ଷିଣ ଆଫ୍ରିକା, ଜାଣନ୍ତୁ ଭାରତ ଓ ଅଷ୍ଟ୍ରେଲିଆର ସ୍ଥିତି ?
ଦ୍ଵିତୀୟ ସନ୍ତାନ ଜନ୍ମ କାରଣରୁ ରୋହିତ ଶର୍ମା ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଖେଳି ପାରି ନ ଥିଲେ। ଏହାପରେ ଆଡିଲେଡ୍ରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଦଳକୁ ଫେରି ନେତୃତ୍ଵ ନେଇଥିଲେ। ହର୍ଷିତ ରାଣାଙ୍କୁ ଦ୍ଵିତୀୟ ଟେଷ୍ଟରେ ଦଳରେ ସାମିଲ କରାଯିବା ନିଷ୍ପତ୍ତି ଭୁଲ୍ କି ? ଏହି ପ୍ରଶ୍ନର ଉତ୍ତରରେ କପିଲ କହିଛନ୍ତି, ମୁଁ ତ ବିସିସିଆଇର କର୍ମକର୍ତ୍ତା ନୁହେଁ। ମୁଁ କେମିତି ଏହାର ଜଜ କରି ପାରିବି ? ସେଠାରେ ଏମିତି ଲୋକ ଅଛନ୍ତି ଯାହାଙ୍କ ପାଖରେ ନିର୍ଣ୍ଣୟ ନେବାର ଅଧିକାର ରହିଛି ଯେ, କିଏ ଦଳରେ ରହିବେ।
Also read: ଆଡିଲେଡ୍ ଟେଷ୍ଟରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ଝଟ୍କା, ବଦଳିଲା WTC ସମୀକରଣ
ଆମେ କିଛି କହି ପାରିବୁ ନାହିଁ। ମୋର ପୂର୍ବତନ ସାଥୀ ଖେଳାଳି ଏବେ ବିସିସିଆଇରେ ଏବଂ ଆଶା କରୁଛି ସେ ଭଲ କାମ କରିବେ। କଣ ଯଶପ୍ରୀତ ବୁମରା ବର୍ତ୍ତମାନ ରୋହିତଙ୍କଠୁ ଅଧିନାୟକ ଦାୟିତ୍ଵ ନେବାର ପ୍ରକୃଷ୍ଠ ସମୟ କି ? ଉତ୍ତରରେ କପିଲ୍ କହିଛନ୍ତି, ଏହା ଉପରେ ତର ତର ହୋଇ କିଛି କୁହାଯିବା ଠିକ୍ ନୁହେଁ। କେବଳ ଗୋଟିଏ ମ୍ୟାଚ୍ର ଭଲ ପ୍ରଦର୍ଶନକୁ ନେଇ ଆପଣ କହି ପାରିବେ ନାହିଁ ଯେ ସେ ଶ୍ରେଷ୍ଠ। ପୁଣି ଗୋଟିଏ ଖରାପ ପ୍ରଦର୍ଶନ ପରେ ଆପଣ କହି ପାରିବେ ନାହିଁ ଯେ, ସେ ଖରାପ ବୋଲି।