ଭୁବନେଶ୍ବର ୧୪।୧: ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3 ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି । ଯାହା ଖୋର୍ଦ୍ଧା ରୋଡ୍ - ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି । ୨୬୨୦ ମିଟର ଦୈର୍ଘ୍ୟ ଏବଂ ୨ ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ବର୍ତ୍ତମାନ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା କାର୍ଯ୍ୟ ଶେଷ ହୋଇଛି ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ଚାଲୁରହିଥିବା ସମଗ୍ର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନମ୍ବର T3 ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ । ଏହି ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ । ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ ୩୦୧ କିଲୋମିଟର ଅଟେ ଯାହାକି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି । ଏହି ପ୍ରକଳ୍ପରେ ୭୫ କିଲୋମିଟର ଦୈର୍ଘ୍ୟ ମଧ୍ୟରେ ୭ଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ । ଏହି ସୁଡ଼ଙ୍ଗଗୁଡ଼ିକର ବିଶେଷକରି ପୂର୍ବଘାଟର କଷ୍ଟକର ଭୂଖଣ୍ଡ ଦେଇ ନିର୍ମାଣ କାର୍ଯ୍ୟ ପ୍ରକଳ୍ପର ସବୁଠାରୁ ଜଟିଳ ଦିଗ ମଧ୍ୟରୁ ଗୋଟିଏ ।
ଏହି ସୁଡ଼ଙ୍ଗଗୁଡ଼ିକ ମଧ୍ୟରୁ, ସୁଡ଼ଙ୍ଗ ନମ୍ବର T7 ଯାହାର ଦୈର୍ଘ୍ୟ ୪.୮୮୫ କିଲୋମିଟର ସବୁଠାରୁ ଲମ୍ବା ସୁଡ଼ଙ୍ଗର ଏକ ଅଂଶ, ପୂର୍ବରୁ ସଫଳତାର ସହିତ ଅର୍ଦ୍ଧାଧିକ ଖନନ କାର୍ଯ୍ୟ ସମାପ୍ତ କରିସାରିଛି । ସେହିପରି ସୁଡ଼ଙ୍ଗ ନମ୍ବର T1, ସୁଡ଼ଙ୍ଗ ନମ୍ବର T3 ଏବଂ ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି । ବିଭିନ୍ନ ମାଟି ଘନତା ଏବଂ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ କରାଯାଉଛି ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ, ଯାହା ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ, ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି । ମୋଟ ୨୧୫ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଖୋର୍ଦ୍ଧା ରୋଡ୍ରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୦୯ କିଲୋମିଟର ଅନ୍ତର୍ଭୁକ୍ତ । ପୁରୁଣାକଟକରୁ ଆଢେନିଗଡ଼ ପର୍ଯ୍ୟନ୍ତ ରେଳ ଲାଇନ ମାର୍ଗରେ ନିର୍ମାଣ କାର୍ଯ୍ୟ ପ୍ରଗତିଶୀଳ ଅଟେ ଏବଂ ଆଗାମୀ ମାସଗୁଡ଼ିକରେ ସମାପ୍ତ ହେବାର ଆଶା କରାଯାଉଛି ।
ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ, ଏହି ରେଳ ଲାଇନ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟକୁ ବହୁ ପରିମାଣରେ ହ୍ରାସ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବଜାର ଚାହିଦା ସୃଷ୍ଟି କରି ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେବ ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ଓଡ଼ିଶାରେ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ । ଏହି ରେଳ ଲାଇନ ସମ୍ପୂର୍ଣ୍ଣ ହେବା ପରେ, ଏହା ଆର୍ଥିକ ବିକାଶକୁ ସହାୟକ ହେବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଯାହା ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନକୁ ଲାଭଦାୟକ କରିବ ।
You Can Read:
ସହଦେବ ନାୟକ ହତ୍ୟାକାଣ୍ଡ ଘଟଣା : ରକ୍ତ ନମୁନାର ହେବ DNA ଟେଷ୍ଟ, ପଠାଇଲା ଫରେନସିକ୍ ଲ୍ୟାବ୍