ଗୁଜୁରାଟର ଭରୁଚ ଜଗନ୍ନାଥ ମନ୍ଦିର, ରଥଯାତ୍ରାରେ ମନୋନୀତ ଶ୍ରଦ୍ଧାଳୁ କରିଥାନ୍ତି ଛେରାପହଁରା

Published By : Prameya-News7 Bureau | July 01, 2024 IST

ଭୁବନେଶ୍ବର: ଗୁଜରାଟର ପ୍ରବାସୀ ଓଡ଼ିଆମାନେ ଏକଦା ଏକାଠି ହୋଇ ଚିନ୍ତା କଲେ, ସେମାନଙ୍କର ଆରାଧ୍ୟ ଠାକୁରଙ୍କ ପାଖରେ ଦର୍ଶନର ସୁଯୋଗ ମିଳନ୍ତା’ନି ? କିନ୍ତୁ ଏହା କେମିତି ସମ୍ଭବ ହେବ ? ଏଠାରେ କ’ଣ ଜଗନ୍ନାଥ ମନ୍ଦିର ଗଢ଼ିହେବ ? କିଏ ଦାୟିତ୍ୱ ନେବ ? ଏତେ ଅର୍ଥ କେଉଁଠୁ ଆସିବ ? ଏକଥା ଚିନ୍ତାକରି ୧୯୯୬ ମସିହାରେ ଭରୁଚରେ ରହୁଥିବା ଓଡ଼ିଆମାନେ ସଂଗଠିତ ହୋଇଥିଲେ । ଗଢ଼ିଥିଲେ - ‘ଉତ୍କଳିକା ଓଡ଼ିଆ ଆସୋସିଏସନ ଅଫ ଭରୁଚ’ । ଏହାର  ପଞ୍ଜିକରଣ ପରେ ସମସ୍ତଙ୍କ ମନରେ ଗୋଟିଏ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ସହମତି ପ୍ରକାଶ ପାଇଥିଲା  ।

୨୦୦୧ରେ ମନ୍ଦିର ପାଇଁ ମିଳିଥିଲା ଜମି

ଓଡ଼ିଶାରୁ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ସେତେବେଳେ ଗୁଜୁରାଟରେ ଅବସ୍ଥାପିତ ଥା’ନ୍ତି l ସେମାନଙ୍କ ସାହାଯ୍ୟ ଆଉ ସହଯୋଗରେ ଗୁଜୁରାଟ ସରକାରଙ୍କ ତରଫରୁ ୨୦୦୧ ମସିହାରେ ମନ୍ଦିର ପାଇଁ ଜମି   ମିଳିଥିଲା  l ଏହାପରେ ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଲା ।  ସେସମୟରେ ଗୁଜୁରାଟର ଭରୁଚରେ ଅଧିକ ସଂଖ୍ୟାରେ ଓଡ଼ିଆ ଲୋକଙ୍କର ସମାଗମ ନଥିଲା  l ତେଣୁ ଜମି ପାଇଁ ସରକାରଙ୍କୁ ଟଙ୍କା ପୈଠ କରିବା ମଧ୍ୟ କଷ୍ଟକର ହୋଇଥିଲା l ତଥାପି ବହୁ କଷ୍ଟରେ "ଉତ୍କଳିକା ଓଡ଼ିଆ ଆସୋସିଏସନ ଅଫ ଭରୁଚ " ଜମି ପାଇଁ ନିର୍ଧାରିତ ମୂଲ୍ୟ ଯୋଗାଡ଼ କରିବାରେ ସମର୍ଥ ହୋଇଥିଲା l 

ଆର୍ଥିକ ବାଧା ଥିଲା ବଡ଼ ସମସ୍ୟା

୨୦୦୧ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ଆର୍ଥିକ ଅବସ୍ଥାକୁ ନେଇ ମନ୍ଦିର ନିର୍ମାଣ ହୋଇପାରିନଥିଲା  l  ଗୁଜୁରାଟ ସରକାର ଜମି ଫେରସ୍ତ ନେଇ ଯିବାକୁ ବସିଥିଲେ l  ତେଣୁ ତତ୍ପରତା ପୂର୍ବକ ୨୦୦୫ ମସିହା  ଫେବୃଆରୀ ୧୩ ଶ୍ରୀପଞ୍ଚମୀର ଶୁଭ ମୂହୁର୍ତ୍ତରେ ଭୂମିପୂଜନ କରାଯାଇଥିଲା । ଓଡ଼ିଆ ବୈଦିକ ବ୍ରାହ୍ମଣଙ୍କ ଅଭାବରୁ ପ୍ରଭାତ ଶତପଥୀ ଓ ଉତ୍ତର ପ୍ରଦେଶର ଦିନେଶ ମିଶ୍ରଙ୍କ ଦ୍ଵାରା ଯଥା ବିଧି ପୂଜା ଓ  ହୋମ ଯଜ୍ଞ କରାଯାଇ ଏହି କାର୍ଯ୍ୟ ସମ୍ପନ୍ନ ହେଲା । ଏହା ସତ୍ତ୍ୱେ ମନ୍ଦିର ନିର୍ମାଣ ପାଇଁ ଅର୍ଥ ବାଧକ ହୋଇଥିଲା । ହେଲେ ମହାପ୍ରଭୁଙ୍କ ଅସୀମ କରୁଣାରୁ ୨୦୦୬ରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ମୁଖ୍ୟ ଶାଖା ପରିଚାଳକ ଭାବରେ ଜଣେ ଓଡ଼ିଆ ଲକ୍ଷ୍ମଣ ସେଠୀ, ଭରୁଚ ଆସିଲେ l ସବୁ ବର୍ଷ ଭଳି ସେ ବର୍ଷ ମଧ୍ୟ ଓଡ଼ିଆ ଲୋକଙ୍କ ଦ୍ୱାରା ଗୋଟିଏ ବଣଭୋଜିର ଆୟୋଜନ ହେଇଥିଲା l ସେଇଠି ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ଆଲୋଚନା ହେଲା l ଆଉ ମନ୍ଦିରର ମୂଳଦୂଆ  ପଡ଼ିଲା ।  ଲକ୍ଷ୍ମଣ ସେଠୀଙ୍କ  ପ୍ରୋତ୍ସାହନ ତଥା ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀବତ୍ସ ରଥ, ପ୍ରେମାନନ୍ଦ ବିଶ୍ୱାଳ, ଶରତ ଜେନା, ଭାସ୍କର ରାୱାଲ ତଥା ଆସୋସିଏସନର ସଦସ୍ୟ ଓ ଅନ୍ୟ ସ୍ଥାନୀୟ ଭକ୍ତଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ସେବା ସମିତି ଦ୍ୱାରା ୨୦୦୬ ଜୁଲାଇ ୬ ତାରିଖରେ  ମନ୍ଦିର ପ୍ରତିଷ୍ଠା ହେଲା l  

ଟ୍ରେନରେ ନିଆଯାଇଥିଲା ଚୁତୁର୍ଦ୍ଧାମୂର୍ତ୍ତିଙ୍କୁ ପୁରୀରୁ ଭରୁଚ

ଅତି ଖୁସିର କଥା ଯେ, ଜେ.ଏ.ଯୋଶୀ ନାମରେ ଜଣେ ଗୁଜୁରାଟ ବ୍ରାହ୍ମଣ,  ବିଗ୍ରହ ଦେବା ପାଇଁ   ଆଗ୍ରହ ପ୍ରକାଶ କରିଥିଲେ l ତାଙ୍କ ଶ୍ରଦ୍ଧାରୁ ପୁରୀରୁ ବିଗ୍ରହ ଆଣିବାକୁ ଚିନ୍ତା କରାଗଲା ।  ସେତେବେଳେ ଠାକୁରଙ୍କୁ ପୁରୀରୁ ଆଣିବା ବି ବହୁ କଷ୍ଟକର ଥିଲା l ଟ୍ରେନରେ ଜଗନ୍ନାଥ ଦାସ, ବଳଭଦ୍ର ଦାସ, ସୁଭଦ୍ରା ଦାସ ନାଁରେ ଟିକେଟ ବୁକ ହୋଇଥିଲା l ହେଲେ ସେଇ ଠାକୁରମାନେ ଟ୍ରେନ ବଗିରେ ଆସିବା ସମ୍ଭବପର ନଥିଲା l କ’ଣ କରିବାକୁ ହେବ,  ଭାଳେଣି ପଡ଼ିଯାଇଥିଲା l  ଏପରି ସମୟରେ  ଜଣେ ଓଡ଼ିଆ ବ୍ୟାଙ୍କ ମ୍ୟାନେଜର  ମହେଶ ପଣ୍ଡା ଭାରତୀୟ ରେଳସେବାରେ ବରିଷ୍ଠ ଅଧିକାରୀ ଥିବା ତାଙ୍କର ଜଣେ ସହପାଠୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ଗୋଟିଏ ଗୁଡ୍ସସ ଡବାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପଠେଇବା ବ୍ୟବସ୍ଥା କଲେ l ଚତୁର୍ଦ୍ଧାମୂର୍ତ୍ତି ସହ ପୁରୀରୁ ପଣ୍ଡିତମାନେ ଆସିଥିଲେ l 

ପରବର୍ତ୍ତି ସମୟରେ ଦୀର୍ଘ ବର୍ଷ ବ୍ୟବଧାନରେ ୨୦୨୩ ମସିହା ଜୁଲାଇ ମାସ ୯ ତାରିଖରେ ମା’  ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।   ଭରୁଚ ଜଗନ୍ନାଥ ମନ୍ଦିରର  ପରିଚାଳନା ଭାର ତୁଲାଇ ଆସୁଛି ଶ୍ରୀଜଗନ୍ନାଥ ସେବା ସମିତି ।   ପୀଠରେ ଦୈନିକ ଆନୁମାନିକ  ପ୍ରାୟତଃ ୫୦ ଜଣଙ୍କ ସମାଗମ ହୋଇଥାଏ । ଦୁଇ ଜଣ ସେବକ ନିୟମିତ ଠାକୁରଙ୍କ ସେବା ପୂଜାରେ ନିୟୋଜିତ ରହି ଜୀଉଙ୍କର ଦୈନଦିନ ସେବା ପ୍ରଦାନ କରିଥା’ନ୍ତି ।

ମନ୍ଦିରରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ

ଦେଉଳର ଉଚ୍ଚତା  ୮୫ ଫୁଟ ।  ଗର୍ଭଗୃହରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା, ମା’ ବିମଳା, ମା’ ଭୂଦେବୀ, ମା’ ଲକ୍ଷ୍ମୀ, ମା’ ସରସ୍ବତୀ ପ୍ରଭୃତି  ବିଗ୍ରହ ପୂଜା ପାଉଛନ୍ତି । ମନ୍ଦିର ବାହାର କାନ୍ଥରେ ବାମରୁ ଡାହାଣକୁ ସ୍ଥାନ ପାଇଥିବା ଦେବଦେବୀ ହେଲେ ଶ୍ରୀ ଗଣେଶ, ମା’ ସରସ୍ୱତୀ, ବ୍ରହ୍ମା,  ବିଷ୍ଣୁ,  ଶିବ, ମହାଲକ୍ଷ୍ମୀ , ହନୁମାନ, ଗରୁଡ଼, ନବଗ୍ରହ ଓ ଦଶ ଅବତାର । ଦେଉଳ ବେଢାରେ ଶିବ ମନ୍ଦିର ଅଛି । ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପ୍ରତିକୃତି ବି ରହିଛି ।  ପୀଠରେ ସ୍ଥାନ ପାଇଥିବା ବିଭିନ୍ନ କଳାକୃତି ମଧ୍ୟରେ ମନ୍ଦିର ପ୍ରବେଶ ଦ୍ୱାରରେ ଦୁଇଟି ପଶୁରାଜ ସିଂହ, ଉର୍ଦ୍ଧ୍ୱରେ ଅନନ୍ତ ଶୟନର ସାବଲୀଳ ଦୀପ୍ତିମାନ ମୂର୍ତ୍ତି ରହିଛି ।  ଠାକୁରଙ୍କର ଦୈନିକ ନୀତିକାନ୍ତି ମଧ୍ୟରେ ପ୍ରତ୍ୟହ ସକାଳେ ଦ୍ୱାରଫିଟା, ମଙ୍ଗଳ ଆରତୀ, ଶୃଙ୍ଗାର ଆରତୀ, ମଧ୍ୟାହ୍ନ ଆରତୀ, ସନ୍ଧ୍ୟା ଆରତୀ ଓ ଶୟନ ଆରତୀ ଅନୁଷ୍ଠିତ ହୋଇଥାଏ । 

ପାଞ୍ଚ ଥର ହୁଏ ସୁନାବେଶ

ଭରୁଚ ଜଗନ୍ନାଥ ମନ୍ଦିରରେ ବର୍ଷ ତମାମ ପାଳିତ ପ୍ରମୁଖ ପର୍ବପର୍ବାଣୀ ଗୁଡିକ ହେଉଛି - ରଥଯାତ୍ରା , ହେରାପଞ୍ଚମୀ, ବର୍ଷରେ ପାଞ୍ଚ ଥର ସୁନାବେଶ, ଅଧରପଣା, ଶ୍ରୀବଳଭଦ୍ରଙ୍କ ଜନ୍ମ, ସପ୍ତପୁରୀ ଅମାବାସ୍ୟା, ଗଣେଶ ଚତୁର୍ଥୀ, ଜନ୍ମାଷ୍ଟମୀ, ନବରାତ୍ର, ଦଶହରା, ପୟା ଶ୍ରାଦ୍ଧ, ପଞ୍ଚୁକ କାର୍ତ୍ତିକ ବ୍ରତ, ମୋକ୍ଷଦା ଏକାଦଶୀ ନାମ ସଙ୍କୀର୍ତ୍ତନ, ପ୍ରଥମାଷ୍ଟମୀ, ମକରସଂକ୍ରାନ୍ତି, ସରସ୍ଵତୀ ପୂଜା, ପୁଷ୍ୟାଭିଷେକ, ଦୋଳ- ହୋଲି,  ପଣା ସଂକ୍ରାନ୍ତି , ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ଅଣସର, ନେତ୍ରୋତ୍ସବ, ନବଯୌବନ ଦର୍ଶନ,  ପ୍ରତ୍ୟେକ ସଂକ୍ରାନ୍ତିରେ ହରିହାଟ ଓ   ହନୁମାନ ଚାଳିଶା ପଠନରେ ଆହୁତି ପ୍ରଦାନ ପ୍ରଭୃତି । 

ପୀଠରେ ରଥଯାତ୍ରା ସବୁଠୁ ବଡ଼ ଉତ୍ସବ ।  ଏହି  ଦିନ ଚତୁର୍ଦ୍ଧାମୂର୍ତ୍ତି ବିଜେସ୍ଥଳରୁ ବାହାରି ୫ କିମି ସହର ମଧ୍ୟରେ ଯାତ୍ରା କରି ପୁଣି ସ୍ୱ-ମନ୍ଦିରକୁ ଫେରିଆସନ୍ତି l ଏଠାରେ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଛେରାପହଁରା ସେବା ପାଇଁ ମନୋନୀତ ହୋଇନାହାନ୍ତି ।  ଠାକୁରଙ୍କ ପ୍ରତି ଭକ୍ତିଭାବ ସମ୍ପନ୍ନ ଶ୍ରଦ୍ଧାଳୁଙ୍କୁ ନେଇ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଥିଲାଗି ମନୋନୀତ କରାଯାଏ l ଏହି ରଥଯାତ୍ରାରେ ଆନୁମାନିକ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କର ସମାଗମ ହୋଇଥାଏ । ଭରୁଚର ଜଗନ୍ନାଥ ମନ୍ଦିର ଏଠାର ପ୍ରବାସୀ ଓଡ଼ିଆଙ୍କ ଭଗବତ ପ୍ରୀତି ଓ ଭାବପ୍ରବଣତାର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.