ନୂଆଦିଲ୍ଲୀ ୧।୧୨: କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ରବିବାର ଦିଲ୍ଲୀ ରାମ ଲିଳା ମୈଦାନରେ ଆୟୋଜିତ ଏକ ସଭାରେ ବିବାଦୀୟ ବୟାନ ଦେଇଛନ୍ତି। ଖଡଗେ ନିଜକୁ ଜ୍ୟୋତିର୍ଲିଙ୍ଗ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ମୁଁ ହିନ୍ଦୁ, ମୋ ନାମ ମଲ୍ଲିକାର୍ଜୁନ ଖଡଗେ, ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଲିଙ୍ଗ ମୁଁ। ମୋ ପିତା ମୋର ଏପରି ନାମକରଣ କରିଛନ୍ତି। ଖଡଗେଙ୍କ ଏହି ବୟାନକୁ ବିଜେପି ନେତାମାନେ ବିରୋଧ କରିଛନ୍ତି।
ବିଜେପି ନେତା ଶହଜାଦ ପୁନାୱାଲା ଏକ ଭିଡିଓ ଜାରି କରି କହିଛନ୍ତି ହିନ୍ଦୁ ଆସ୍ଥାକୁ ଅପମାନ କରିବା କଂଗ୍ରେସ ପାର୍ଟିର ପରିଚୟ। କଂଗ୍ରେସ ପ୍ରଥମେ ଶ୍ରୀରାମଙ୍କ ଅପମାନ କଲା, ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଆୟୋଜିତ ସମାରୋହକୁ କଂଗ୍ରେସ ନାଚଗୀତ କହିଥିଲା। ଲଗାତାର ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ଲଗାଉଥିବା କଂଗ୍ରେସ ନେତା ଏବେ ଶିବଙ୍କ ଅପମାନ କରୁଛନ୍ତି। ଖଡଗେ ନିଜର ତୁଳନା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସହିତ କରୁଛନ୍ତି।
ଏଥିରେ ପୁନାୱାଲା ପଚାରିଛନ୍ତି ଖଡଗେ କୌଣସି ଅନ୍ୟ ଧର୍ମ ଲାଗି ଏପରି ଟିପ୍ପଣୀ କରିପାରିଥାନ୍ତେ? ଭୋଟ ବ୍ୟାଙ୍କ ଲାଗି କଂଗ୍ରେସର ସ୍ତର ଏତେ ନିମ୍ନକୁ ଚାଲିଗଲାଣି ଯେ ହିନ୍ଦୁଙ୍କ ଆସ୍ଥାକୁ ଅପମାନିତ କରିବାର କାମ କରୁଛି। ଏଥି ପାଇଁ କଂଗ୍ରେସ ସଭାପତିଙ୍କୁ କ୍ଷମାନିବେଦନ କରିବା ଦରକାର। ଯଦି ଆପଣଙ୍କ ନାମ ଶିବ ତେବେ ଆପଣ ଭଗବାନ ଶିବ ହୋଇ ପାରିବେନି। ଜ୍ୟୋତିର୍ଲିଙ୍ଗ ସହିତ କୋଟିକୋଟି ହିନ୍ଦୁଙ୍କ ଆସ୍ଥା ଜଡ଼ିତ ରହିଛି, ଏଥିରେ ଖଡଗେ ନିଜକୁ ଜ୍ୟୋତିର୍ଲିଙ୍ଗ ବୋଲି କହୁଛନ୍ତି। ଏହା ହିନ୍ଦୁ ସମାଜର ବହୁତ ବଡ଼ ଅପମାନ।
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସଭାରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ମୋ ପାର୍ଟି ଧର୍ମ ନିରପେକ୍ଷ, ମୁଁ ଚାହୁଁଛି ଆମେ ସବୁ ଏକାଠି ଚାଲିବା। ବିଜେପିର ଲୋକେ ଗଣତନ୍ତ୍ରରେ ମିଳିଥିବା ଶକ୍ତିକୁ ସମାପ୍ତ କରିବା କାମ କରୁଛନ୍ତି। ଦଳ କେବଳ ନୈତିକତାର କଥା କହୁଛି ହେଲେ ଅନୈତିକ କାମ କରୁଛି। ବିଜେପି କେବେ ଇଭିଏମରେ ଆପଣଙ୍କ ଭୋଟ ଚୋରାଉଛି ତ ଆଉ କେବେ ଆପଣଙ୍କ ନିର୍ବାଚିତ ବିଧାୟକଙ୍କୁ ଚୋରାଉଛି। ଚୋରି କେବଳ ଏତିକିରେ ସୀମିତ ନାହିଁ କେବେ ପେନସନ ଚୋରାଉଛି ତ କେବେ ଚାଷୀଙ୍କ ଏମଏସପି ଲୁଟୁଛି ବୋଲି ଅଭିଯୋଗ କରିଛନ୍ତି।