ଭୁବନେଶ୍ବର ୨୧/୩: କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା । ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତ୍ରୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନି । ଶୁକ୍ରବାର ଗୃହରେ ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ ।
କୋଶଳୀକୁ ରାଜ୍ୟ ଭାଷା ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସିଧା କହିଛନ୍ତି ମନ୍ତ୍ରୀ କିଛି ଜାଣିନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ । ପୁଣି ପୁରୁଣା କଥାକୁ ଦୋହରାଇ କହିଛନ୍ତି ଉତ୍କଳ,କଳିଙ୍ଗ ଓ କୋଶଳକୁ ନେଇ ଗଠନ ହୋଇଛି ଓଡ଼ିଶା । ଏବେ ସରକାର କହୁଛନ୍ତି ଏହା ମୋର ବ୍ୟକ୍ତିଗତ ମତ । କିନ୍ତୁ ଆଗକୁ ଏହା ସାମୂହିକ ମତ ହେବ ବୋଲି କହିଛନ୍ତି ଜୟନାରାୟଣ ।
ସେପଟେ ଜୟନାରାୟଣଙ୍କୁ କଟାକ୍ଷ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଜୟନାରାୟଣଙ୍କ ସ୍ବର ନରମିଛି । ସବୁ ଭାଷା ବଞ୍ଚୁ କିନ୍ତୁ ବିଲୀନ ନହେଉ । କିନ୍ତୁ ଖାଲି ଥିବା ମନ୍ତ୍ରୀ ପଦ ପାଇବାକୁ କିଛି ବିଧାୟକ ଖଞ୍ଜା ଖୋଜୁଛନ୍ତି ।