ନୂଆଦିଲ୍ଲୀ ୨୮।୦୩; ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ କମେଡିକୁ ନେଇ ବିବାଦରେ ଫସିଥିବା କମେଡିୟାନ କୁନାଲ କାମ୍ରାଙ୍କୁ ପୋଲିସ ପୁଣି ସମନ୍ ଜାରି କରିଛି । ମାର୍ଚ୍ଚ ୩୧ରେ ତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ମିଶାଇ ପୋଲିସ ତାଙ୍କୁ ୩ଟି ସମନ୍ ଜାରି କଲାଣି। ଏହା ଦ୍ୱାରା କୁନାଲଙ୍କ ଅଡୁଆ ଆହୁରି ବଢ଼ିଯାଇଛି। ଭିଡିଓରେ ‘ମିଷ୍ଟର ଇଣ୍ଡିଆ’ ଚଳଚ୍ଚିତ୍ରର ଗୀତ ଉପରେ କମେଡି ବନାଇବା ଯୋଗୁ ତାଙ୍କୁ ଟି-ସିରିଜ ତରଫରୁ କପିରାଇଟ ନୋଟିସ ପଠାଯାଇଛି। କୁନାଲ ‘ଏକ୍ସ’ରେ ନିଜେ ଏହି ସୂଚନା ଦେଇଛନ୍ତି।
ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ କଟାକ୍ଷ କରି କମେଡି କରିଥିଲେ। କୁନାଲ ଅଭିଯୋଗ କରିଛନ୍ତି ଯେ ୟୁଟ୍ୟୁବ୍ ତାଙ୍କ ଷ୍ଟାଣ୍ଡଅପ୍ ‘ନୟା ଭାରତ’କୁ କପିରାଇଟ୍ ଉଲ୍ଲଂଘନ ନିମନ୍ତେ ଭିଜିବିଲିଟି ଓ ମନୋଟାଇଜ୍କୁ ବ୍ଲକ୍ କରିଦେଇଛି। ଏବେ ତାଙ୍କ ଭିଡିଓରୁ କୌଣସି ଆୟ ହେଉନାହିଁ । ସେ ଟି-ସିରିଜର ନୋଟିସକୁ ମନମୁଖି ଦର୍ଶାଇଛନ୍ତି। ବ୍ୟଙ୍ଗ ଓ କମେଡି ଭଳି କଳାତ୍ମକ ଅଧିକାର ଉପରେ ଏହା ହମ୍ଲା ସଦୃଶ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
‘ଏକ୍ସ’ରେ ସେ ଲେଖିଛନ୍ତି, ହେଲୋ ଟି-ସିରିଜ, କାଠ କଣ୍ଢେଇ ସାଜିବା ବନ୍ଦ କର। ପାରୋଡି ଓ ବ୍ୟଙ୍ଗ ଆଇନ ଅନୁସାରେ ‘ଉଚିତ ଉପଯୋଗ’ ଅନ୍ତର୍ଗତ ଆସୁଛି। ମୁଁ ଗୀତର ମୂଳ ଲିରିକ୍ସ କିମ୍ବା ଇନ୍ଷ୍ଟ୍ରୁମେଣ୍ଟାଲକୁ ବ୍ୟବହାର କରିନାହିଁ। ଯଦି ତୁମେ ଏହି ଭିଡିଓକୁ ହଟାଉଛ, ତେବେ ପ୍ରତ୍ୟେକ କଭର ସଙ୍ଗ୍ ଓ ଡ୍ୟାନ୍ସ ଭିଡିଓକୁ ମଧ୍ୟ ହଟାଇବାକୁ ହେବ। କ୍ରିଏଟର୍ସ ଦୟାକରି ଏହାକୁ ରେଖାଙ୍କିତ କରନ୍ତୁ।