ଭୁବନେଶ୍ବର ୩୧।୩: ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି, ଅସୁରକ୍ଷିତ ମହିଳା ପ୍ରସଙ୍ଗରେ ସରକାର ଓ ପୋଲିସର ଭୂମିକା ଉପରେ ବଡ଼ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେ କହିଛନ୍ତି, ରାଜ୍ୟର ୫୦ ଭାଗରୁ ଅଧିକ ମହିଳା ଯାହାଙ୍କ ଭୋଟ୍ରେ ବିଜେପି ସରକାରକୁ ଆସିଛି । ରାଜ୍ୟରେ ମହିଳା ନିର୍ଯାତନା ବଢିଚାଲିଛି । ଲଗାତର ୧୬ ଦିନ ଧରି ବିଧାନସଭାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଆନ୍ଦୋଳନ କଲା କଂଗ୍ରେସ । କିନ୍ତୁ କିଛି ପଦକ୍ଷେପ ନେଲେନି । ଏହି ସରକାରର ୯ ମାସ ମଧ୍ୟରେ ରାଜ୍ୟର ମା’, ଝିଅ, ଭଉଣୀ ଅସୁରକ୍ଷିତ । ସବୁ ଜାଗାରେ ସବୁ ଜିଲ୍ଲାରେ ମହିଳା ନିର୍ଯାତନା ବଢିଚାଲିଛି ।
ସେପଟେ ସରକାର ଗଣତନ୍ତ୍ରକୁ ବିଶ୍ୱାସ କରୁନାହିଁ । ମା’ ସୁରକ୍ଷିତ ନୁହେଁ ତ ରାଜ୍ୟ ସୁରକ୍ଷିତ ନୁହେଁ । ଏ ସରକାର ଅନ୍ଧ, ମୁକ, ବଧିର ପାଲଟିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏ ପ୍ରସଙ୍ଗ ବାରମ୍ବାର ଉଠାଇବା ପରେ ବି ଗୃହ କମିଟି ହେଲାନି କି ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଦେ କହିଲେନି । ୨୭ ରେ ଯେଉଁ ବିଧାନସଭା ଘେରାଉ କରାଗଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଲା । ପୂର୍ବ ସରକାର ସମୟରେ କ’ଣ ବିଜେପି ଆନ୍ଦୋଳନ କରି ନ ଥିଲା କି ? ବିଧାନସଭାରେ ବିଜେପି ସଦସ୍ୟ ଡାଲି, ଚପଲ ଫିଙ୍ଗିଥିଲେ । ନିଜେ ଘଣ୍ଟ ପିଟିଥିଲା । ବିଜେପି କ’ଣ ପୂର୍ବରୁ ଆନ୍ଦୋଳନ କରୁ ନଥିଲା କି ? ତାହେଲେ ଏବେ ବିରୋଧୀଙ୍କ ଆନ୍ଦୋଳନକୁ କାହିଁକି ସହିପାରୁନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା । ଏହା ଲୋକଙ୍କର ସରକାର ନୁହେଁ । ବିଜେପି ସରକାର କିଛି ଏଜେଣ୍ଡା ନେଇ ଆସିଛନ୍ତି । ବିଜେପିର ଏଜେଣ୍ଡା ଓଡ଼ିଶାରେ ଖଣି ପାଣି ଲୁଟ୍ ପାଇଁ ।
ପୋଲିସ ଉପରେ ମଧ୍ୟ ବର୍ଷିଲା କଂଗ୍ରେସ । ପୋଲିସ ଡିଜି ଯେଉଁଭଳି ଭାବେ ଗୋଟେ ରାଜନୈତିକ ଦଳର ସଂଗଠକ ଭାବେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନିନ୍ଦା କଲା କଂଗ୍ରେସ । ସେ ଦଳର କର୍ମୀ ନୁହନ୍ତି । ତାଙ୍କୁ ରାଜ୍ୟର ଆଇନଶୃଙ୍ଖଳା ରକ୍ଷାର ଦାୟିତ୍ୱ ଦିଆଯାଇଛି । ଗୋଟିଏ ଦଳର ସୁରକ୍ଷା ଦାୟିତ୍ୱ ଦିଆଯାଇ ନାହିଁ ବୋଲି କଡା ଭାଷାରେ କହିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ମା’ ମାନଙ୍କ ସୁରକ୍ଷା ପାଇଁ କାହିଁକି ଡିଜି ଆଗେଇ ଗଲେନି । କିନ୍ତୁ କଂଗ୍ରେସ କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କଂଗ୍ରେସ ଦଳର ଲୋକ କ’ଣ ଆତଙ୍କବାଦୀ । ଯେଉଁମାନେ ଆଗରୁ ଦଙ୍ଗା ଭିଆଉଥିଲେ ସେମାନେ ଆଜି ସରକାରରେ । ଏହାକୁ କଂଗ୍ରେସ ଡରିବ ନାହିଁ । ମା’ ମାନଙ୍କୁ ସୁରକ୍ଷା ଯେପର୍ଯ୍ୟନ୍ତ ଦିଆ ନ ଯାଇଛି କଂଗ୍ରେସ ପଛକୁ ହଟିବ ନାହିଁ ।
କଂଗ୍ରେସ ବିଧାୟକଙ୍କୁ ବିଧାନସଭାକୁ ଛଡ଼ାଯାଉ ନାହିଁ । ଆମେ କ’ଣ ଆତଙ୍କବାଦୀ ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା । ଦମନଲୀଳା ପୋଲିସ ଦ୍ୱାରା ଯେଭଳି ହେଉଛି ତାକୁ ନେଇ ଚେତାବନୀ ଦେଲା କଂଗ୍ରେସ । ପୋଲିସ ବିଭିନ୍ନ ସ୍ଥାନରେ ମାଡ଼ ଖାଉଛି । ଏହାକୁ ନେଇ କଂଗ୍ରେସ ଦୁଃଖ ପ୍ରକାଶ କଲା । ଯେଉଁ ମା’ ମାନେ ଭୋଟ୍ ଦେଇ ବିଜେପିକୁ ଶାସନକୁ ଆଣିଥିଲେ ସେମାନେ ହିଁ ଏମାନଙ୍କୁ ଶାସନରୁ ବାହାର କରିବେ । ଆଗକୁ କଂଗ୍ରେସ ବ୍ଲକ ଓ ଜିଲ୍ଲା ସ୍ତରରେ ଅହିଂସା ମାର୍ଗରେ ଆନ୍ଦୋଳନ ତୀବ୍ରତର କରିବ ବୋଲି ଚେତାଇ ଦେଲେ ରାମଚନ୍ଦ୍ର କାଡାମ ।
You Can Read:
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ନିୟନ୍ତ୍ରଣରେ ନାହଁ : ପ୍ରସନ୍ନ ଆଚାର୍ଯ୍ୟ