ଓଡିଶା ଦିବସରେ ସରକାରଙ୍କୁ ବିଜେଡି ଓ କଂଗ୍ରେସର ଟାର୍ଗେଟ୍, ଏମିତି ଜବାବ ଦେଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | April 01, 2025 IST

ଭୁବନେଶ୍ଵର: ଓଡିଶା ଦିବସ ପାଳନ ଅବସରରେ  ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ  ବିଜେଡି ଓ କଂଗ୍ରେସ ।  ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ ଥିଲା ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେପଟେ ମହିଳା ନିର୍ଯାତନା ଓ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କରିଛି ପିସିସି ସଭାପତି ଭକ୍ତ ଚରଣ ଦାସ । ଉଭୟ ବିଜେଡି ଓ କଂଗ୍ରେସକୁ  କଡ଼ା କାଉଣ୍ଟର କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ନବୀନବାବୁ ନିଜ ପିଠି ନିଜେ ଥାପୁଡ଼ାଇବା ବନ୍ଦ କରନ୍ତୁ । ୨୪ବର୍ଷର ସରକାରରେ ଓଡ଼ିଶାକୁ କେତେ ପଛକୁ ନେଇଛନ୍ତି ତାହା ଓଡ଼ିଶାବାସୀ ଦେଖିଛନ୍ତି । ସେହିଭଳି ସୀମା ବିବାଦ ବାବଦରେ ପଦେ ବି କଥା କହିବାକୁ କଂଗ୍ରେସ ନେତାଙ୍କ ଜୁ ନଥିଲା ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । 

Also read: ଦଣ୍ଡ ନାଚରେ କଡ଼ା କଡ଼ି ହେବ ସୁପ୍ରିମକୋର୍ଟ ଗାଇଡଲାଇନ୍, ଅବମାନନା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଓଡିଶା ଦିବସରେ ସରକାରଙ୍କୁ ଟାର୍ଗେଟ କଲେ ନବୀନ। କହିଲେ, ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ ଥିଲା । ଦେଶରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ ।   ଦେଶର ବିକାଶ ଯାତ୍ରାରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି ।  ଦେଶ ବିଦେଶରେ ନୂଆ ପରିଚୟ ସୃଷ୍ଟି କରୁଛନ୍ତି ଓଡ଼ିଆ ।  ଆମ ସରକାର ଓଡ଼ିଆ ବିଶ୍ଵବିଦ୍ୟାଳୟ ଓ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର କରିଥିଲେ।   ଗରିବୀ  ୭୦% ରୁ ୧୦% କୁ ଖସିଛି ।  ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ । ଆଉ ଅଳ୍ପ କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା । ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବା । ସମସ୍ତଙ୍କ ସହଯୋଗ ରହିଲେ ଏ  ସ୍ବପ୍ନ ପୂରଣ ହେବ । 

ସେପଟେ ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ଅରିଚନ୍ଦନ। ଆଇନ ମନ୍ତ୍ରୀ କହିଛନ୍ତି ନବୀନ ପଟ୍ଟନାୟକ  ନିଜ ପିଠି ନିଜେ ଥାପୁଡ଼ାଇବା ବନ୍ଦ କରନ୍ତୁ । ୨୪ ବର୍ଷ ସରକାରରେ ଓଡ଼ିଶାକୁ  କେତେ ବର୍ଷ ପଛକୁ ନେଇଛନ୍ତି ତାହା ଓଡ଼ିଶାବାସୀ ଦେଖିଛନ୍ତି । ଯାହାର ଜବାବ ଲୋକେ ଏଥର ନିର୍ବାଚନରେ ଦେଇଛନ୍ତି । ଆଉ ଏବେ ସରକାର ଯାହା କାମ କରୁଛି ତାକୁ ବି ଲୋକେ ଦେଖୁଛନ୍ତି । ତେଣୁ ନିଜେ ନିଜର ପିଠି ଥାପୁଡ଼ାଇବା ଛାଡ଼ି ଓଡ଼ିଶାର ବିକାଶ କେଉଁ ଗତିରେ ଯାଉଛି, ତାକୁ ଦେଖନ୍ତୁ   ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।

ସେପଟେ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କହିଛନ୍ତି, ସରକାର ମଧୁସୁଦନ ଦାସଙ୍କ ଜନ୍ମମାଟିରେ ଓଡ଼ିଶା ଦିବସ ପାଳନ କରୁଛନ୍ତି ଭଲ କଥା । କିନ୍ତୁ କେବଳ  ଫୁଲ ମାଳ ଚନ୍ଦନ ଦେଇ ଦେଲେ ମଧୁବାବୁ ଖୁସି ହେବେ ନାହିଁ । ସେ ଜଣେ ବିପ୍ଲବୀ । କିନ୍ତୁ ରାଜ୍ୟରେ ମହିଳା ନିଖୋଜ ନେଇ ସରକାର ଚୁପ କାହିଁକି ?  ଓଡ଼ିଆ ଅସ୍ମିତା ଖାଲି କହିଦେଲେ ହେବ ନାହିଁ । କିନ୍ତୁ ଆଦିବାସୀ ଲୋକଙ୍କ ପାଇଁ ସୁବିଧା କରିପାରୁବାହାନ୍ତି । ଜବାବରେ ଆଇନ୍ ମନ୍ତ୍ରୀ ପୃ୍ଥ୍ବୀରାଜ ହରିଚନ୍ଦନ କହିଛନ୍ତି ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି । ସୀମା ବିବାଦ ବାବାଦରେ ପଦେ ବି କଥା କହିବାକୁ କଂଗ୍ରେସ ନେତାଙ୍କ ଜୁ ନଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।  ଓଡ଼ିଶା ଦିବସରେ ଓଡ଼ିଶାର ବିକାଶକୁ ନେଇ  ରାଜନୈତିକ ବୟାଜବାଜି ବି ଜୋର୍ ଧରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.