ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ୱାକଫ୍ ସଂଶୋଧନ ବିଧେୟକ ଉପରେ ଭୋଟିଂ ହେବ । ଏଥିପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୂରା ପ୍ରସ୍ତୁତି କରିସାରିଛି । ଏହା ପୂର୍ବରୁ ମଙ୍ଗଳବାର ବିଜେପି ତିନି ଲାଇନ୍ ହ୍ୱିପ୍ ଜାରି କରି ନିଜର ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ କହିଛି । ପାର୍ଟି ଦ୍ୱାରା ଜାରି ହ୍ୱିପ୍ରେ କୁହାଯାଇଛି ଯେ ବୁଧବାର ଗୃହରେ ଅତି ଗୁରୁତ୍ୱପୂର୍ଣ୍ଣ ବିଧି କାର୍ଯ୍ୟ ଅଛି । ଏହାକୁ ପାରିତ କରାଇବା ପାଇଁ ସମସ୍ତେ ପାର୍ଟିର ସମର୍ଥନ କରିବେ ଓ ଭୋଟିଂ କରିବେ । ହ୍ୱିପରେ ସବୁ ସାଂସଦଙ୍କୁ ଦିନ ତମାମ ଗୃହରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ବିଜେପିର ୨୪୦ ସାଂସଦ ଅଛନ୍ତି ।
ସରକାର ଜେଡିୟୁ ଓ ଟିଡିପି ନିର୍ଭର ଅଟନ୍ତି । ତେଣୁ ଏହି ବିଧେୟକକୁ ନେଇ କେଉଁ ଦଳର ଆଭିମୁଖ୍ୟ କ’ଣ ରହୁଛି ତାହା ଉପରେ ସଭିଙ୍କ ନଜର ରହିଛି । ଏବେ ସୁଦ୍ଧା ଚିରାଗ ପାସୱାନଙ୍କ ପାର୍ଟି ଏହି ବିଧେୟକକୁ ଖୋଲାଖୋଲି ସମର୍ଥନ କରିନାହିଁ । ସେହିପରି ଜେଡିୟୁର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ନାହିଁ । ଲଲନ୍ ସିଂହ କହିଛନ୍ତି ଯେ ଆମେ ଲୋକସଭାରେ ଆମର ଅଭିମୁଖ୍ୟ ସ୍ପଷ୍ଟ କରିବୁ । ଏହି କାରଣରୁ ସସ୍ପେନ୍ସ ଅଧିକ ବଢିଛି । ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର ନିଜ ସହଯୋଗୀ ଦଳଙ୍କ ବ୍ୟତୀତ ବିରୋଧୀ ଦଳର କିଛି ସାଂସଦଙ୍କ ସମର୍ଥନ ହାସଲ କରିଛି ।
ସୂତ୍ର ଅନୁସାରେ ସଂଶୋଧିତ ବିଲ୍ ଉପରେ ଗୃହରେ ଆଠ ଘଣ୍ଟାର ପ୍ରସ୍ତାବିତ ଚର୍ଚ୍ଚା ପରେ ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁ ଉତ୍ତର ରଖିବେ । ଏହି ବିଧେୟକକୁ ପାରିତ କରିବା ପାଇଁ ଗୃହର ମଞ୍ଜୁରି ନେବେ । ସୂତ୍ର ଅନୁସାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ ମନ୍ତ୍ରଣା ସମିତିର ବୈଠକରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ଗତ ବର୍ଷ ବିଧେୟକ ଉପସ୍ଥାପନ କରି ସରକାର ଏହାକୁ ଉଭୟ ଗୃହର ସଂଯୁକ୍ତ ସମିତି (JPC)କୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ସମିତି ଦ୍ୱାରା ରିପୋର୍ଟ ପ୍ରସ୍ତୁତ କରାଯିବା ପରେ, ସେମାନଙ୍କ ସୁପାରିଶ ଆଧାରରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ମୂଳ ବିଧେୟକରେ କିଛି ପରିବର୍ତ୍ତନକୁ ମଞ୍ଜୁରି ଦେଇଥିଲା ।
କାର୍ଯ୍ୟ ମନ୍ତ୍ରଣା ସମିତି ବୈଠକରେ ବିରୋଧୀ ବିଧେୟକ ଉପରେ ଚର୍ଚ୍ଚା ପାଇଁ ୧୨ ଘଣ୍ଟା ସମୟ ଆବଣ୍ଟନ ପାଇଁ ଦାବି କରିଥିଲେ । ଅନ୍ୟପଟେ ସରକାର କମ ସମୟ ରଖିବା ଉପରେ ଜୋର ଦେଇଥିଲେ, ଫଳରେ ଅନ୍ୟ କାର୍ଯ୍ୟ ମଧ୍ୟ ଶେଷ କରାଯାଇପାରିବ । ଏହି ପ୍ରସଙ୍ଗରେ ବିଏସି (ବିଜ୍ନେସ୍ ଆଡଭାଇଜରି କମିଟି) ବୈଠକରେ ସରକାର ଓ ବିରୋଧୀ ମଧ୍ୟରେ ଜୋରାଦାର ପାଟିତୁଣ୍ଡ ହୋଇଥିଲା ଓ ବିରୋଧୀ ନେତା ବୈଠକ ଛାଡ଼ି ଚାଲି ଯାଇଥିଲେ । ଏହାପରେ ରିଜିଜୁ ସଂସଦ ପରିସରରେ ମିଡିଆରେ କହିଥିଲେ ଯେ କିଛି ଦଳ ଚାରିରୁ ଛଅ ଘଣ୍ଟା ଚର୍ଚ୍ଚା ଚାହୁଁଥିଲେ, ଅନ୍ୟପଟେ ବିରୋଧୀ ୧୨ ଘଣ୍ଟା ଚର୍ଚ୍ଚା କରିବାକୁ ଜିଦ୍ ଧରି ବସିଥିଲେ ।
#WATCH | Delhi: On the Waqf Amendment Bill, Union Minister of Minority Affairs Kiren Rijiju says, "...If the House feels that the time for discussion should be extended, then the time can be extended, but if they (opposition) do not want to participate in the discussion by making… pic.twitter.com/ouBiSVkZm6
— ANI (@ANI) April 1, 2025