ମୃତ୍ୟୁ ପୂର୍ବରୁ ଡରିଯାଇଥିଲେ ହମାସ ମୁଖିଆ, ଭିଡିଓରେ କଏଦ ଶେଷ ଅବସ୍ଥା

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ୧୮/୧୦: ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଗାଜାର ଲାଡେନ ନାମରେ ଜଣାଶୁଣା ହମାସ ମୁଖ୍ୟ ୟାହ୍ୟା ସିନୱରଙ୍କୁ ହତ୍ୟା କରିଛି ଇସ୍ରାଏଲ । ଇସ୍ରାଏଲର ସାମରିକ ବାହିନୀର ମୁଖପାତ୍ର କହିଛନ୍ତି ଯେ ଗୁରୁବାର ଦିନ ଏକ ଅପରେସନରେ ସିନୱରଙ୍କୁ ହତ୍ୟା କରାଯାଇଛି । ଇସ୍ରାଏଲ୍ ସେନାଠୁ ରକ୍ଷା ପାଇବାକୁ ଏକ ବିଲ୍ଡିଂରେ ଲୁଚି ରହିଥିଲେ ସିନୱାର । ତେବେ ଇସ୍ରାଏଲ୍‌ ଫୋର୍ସ ଏହି ବିଲ୍ଡିଂକୁ ଯେତେବେଳେ ଧ୍ୱଂସ କରିଦେଇଥିଲା ସେତେବେଳେ ସିନୱରଙ୍କ ମୃତ୍ୟୁ ହୋଇଥିଲା ।

ଇସ୍ରାଏଲ୍ ସେନା ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିନୱରଙ୍କ ଏକ ଭିଡିଓ କ୍ୟାମେରାରେ କଏଦ ହୋଇଥିଲା । ଶେଷ ମୁହୁର୍ତ୍ତରେ ତାଙ୍କ ଅବସ୍ଥା ଏହି ଭିଡିଓରେ ଦେଖିବାକୁ ମିଳୁଛି । ଇସ୍ରାଏଲ୍ ଫୋର୍ସ ଦ୍ୱାରା ଛଡ଼ା ଯାଇଥିବା ଏହି ଭିଡିଓରେ ସିନୱର ଗୋଟିଏ ସୋଫା ଉପରେ ବାଡ଼ି ଧରି ବସି ରହିଥିବାର ଦେଖିବାକୁ ମିଳିଛି ।

ବୁଧବାର ଦିନ ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ଏହି ଅପରେସନ । ଯେତେବେଳେ ଇସ୍ରାଏଲର ୪୫୦ତମ ବାଟାଲିଅନର ଜଣେ ସୈନିକ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ କୋଠା ଭିତରକୁ ଯାଇ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲେ । ଏହି ଖବର ସେ ତାଙ୍କ ସେନାଧ୍ୟକ୍ଷଙ୍କୁ ଜଣାଇଥିଲେ । ଯାହା ପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରାହ୍ନ ୩ଟାରେ ଆଇଡିଏଫ୍ ଡ୍ରୋନ୍ ମାଧ୍ୟମରେ ଦେଖିଲେ ଯେ ତିନି ଜଣ ଲୋକ ଗୋଟିଏ ଘରୁ ଅନ୍ୟ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି । ତୃତୀୟ ବ୍ୟକ୍ତି ପଛରେ ଥିବାବେଳେ ଦୁଇଜଣ ବ୍ୟକ୍ତି କମ୍ବଳରେ ଘୋଡ଼ି ହୋଇ ଆଗକୁ ଯାଉଥିଲେ ।

ତେବେ ଇସ୍ରାଏଲ କମାଣ୍ଡର ଏହି ତିନିଜଣଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ଅଲଗା କରିଦେଲେ । ଦୁଇ ଆତଙ୍କବାଦୀ ଏକ କୋଠାକୁ ପଳାଇଥିଲେ ଏବଂ ତୃତୀୟ ବ୍ୟକ୍ତି ଅନ୍ୟ ଏକ ଅଲଗା ବିଲ୍ଡିଂରେ ପ୍ରବେଶ କରିଥିଲେ । ଏହି ତୃତୀୟ ବ୍ୟକ୍ତି ଜଣକ ଥିଲେ ୟାହ୍ୟା ସିନୱାର । ଅବଶ୍ୟ, ସେତେବେଳେ ଇସ୍ରାଏଲ୍ ସୈନିକମାନେ ଜାଣି ନ ଥିଲେ ଯେ ସେମାନେ ସିନୱାରକୁ ଘେରି ରହିଥିଲେ। ଏହି ସମୟରେ ସିନୱାର ବିଲ୍ଡିଂର ଦ୍ୱିତୀୟ ମହଲାକୁ ଯାଇଥିଲେ । ଆଇଡିଏଫ୍ ଟ୍ୟାଙ୍କ ସାହାଯ୍ୟରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା ।

ଯେତେବେଳେ ଇସ୍ରାଏଲ ସେନା ବିଲ୍ଡିଂ ନିକଟରେ ପହଞ୍ଚିଲେ, ତାଙ୍କ ଉପରକୁ ବିଲ୍ଡିଂ ଭିତରୁ ଦୁଇଟି ଗ୍ରେନେଡ୍‌ ଫିଙ୍ଗି ଥିଲେ । ଏହାପରେ ସୈନିକମାନେ ବିଲ୍ଡିଂ ନିକଟରୁ ପଛକୁ ଫେରି ଏକ ଡ୍ରୋନ୍‌ ପଠାଇଥିଲେ । ଡ୍ରୋନ୍‌ ମାଧ୍ୟମରେ ଇସ୍ରାଏଲ ସେନା ବିଲ୍ଡିଂ ଭିତରେ ଜଣେ ଆହତ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ । ଯାହାର ମୁହଁ ଆଚ୍ଛାଦିତ ହୋଇଥିଲା । 

ସେ କୋଠରୀରେ ଥିବା ଭଗ୍ନାବଶେଷ ମଧ୍ୟରେ ଥିବା ଏକ ସୋଫାରେ ବସିଥିଲେ ଏବଂ ତାଙ୍କ ହାତରେ ଏକ ବାଡ଼ି ଥିଲା । ଯେତେବେଳେ ଡ୍ରୋନ୍‌ ତାଙ୍କ ପାଖରେ ପହଞ୍ଚିଥିଲା, ସେତେବେଳେ ସେ ବାଡ଼ି ଫିଙ୍ଗି ଡ୍ରୋନ୍‌ ଖସାଇ ଦେବାକୁ ଚେଷ୍ଟା କରିଥିଲେ । ତେବେ ଏହା ପରେ ଆଇଡିଏଫ୍‌ ଟ୍ୟାଙ୍କ୍‌ ସାହାଯ୍ୟରେ ବିଲ୍ଡିଂ ଉପରେ ଆକ୍ରମଣ ହୋଇଥିଲା ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.