ଝିଅ ବାହାଘର ପାଇଁ ରଖିଥିଲେ ସୁନା-ଟଙ୍କା, ସବୁ ପୋଛି ନେଲେ ଲୁଟେରା

Published By : Prameya-News7 Bureau | April 13, 2025 IST

ସୋର୧୩/୪: ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା ସୁନା । ସବୁ ପୋଛି ନେଇ ଚାଲିଗଲେ ଲୁଟେରା । ପ୍ରଥମେ ସ୍ବାମୀ-ସ୍ତ୍ରୀଙ୍କ ହାତ ବାନ୍ଧିଲେ । ଆଖିରେ ପଟି ଲଗାଇ ଦେଲେ । ମୁଣ୍ଡରେ ଲୁହା ରଡ୍‌ ଲଗାଇ ଲୁଟିନେଲେ ୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର । ବାଲେଶ୍ବର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗାଁର ପୋଷ୍ଟ ମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ସଶସ୍ତ୍ର ଡକାୟତି । 

ବିଳମ୍ବିତ ରାତିରେ ୪ ଜଣ ଡକାୟତ ମୁହଁରେ କପଡା ବାନ୍ଧି ବଟକୃଷ୍ଣଙ୍କ ଘରେ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ଲୁଟେରା ମାନେ ସ୍ବାମୀ-ସ୍ତ୍ରୀଙ୍କ ହାତ ବାନ୍ଧି ଆଖିରେ ପଟି ଲଗାଇବା ସହ ମୁଣ୍ଡରେ ଲୁହା ରଡ ଲଗାଇ ହତ୍ୟା ଧମକ ଦେଇ ଭୟଭୀତ କରାଇଥିଲେ । ଏହା ପରେ ୨ ଘଣ୍ଟା ଧରି ଘରେ ଲୁଟ୍‌ପାଟ୍‌ ଚଳାଇଥିଲେ । ଆଲମିରାରୁ ୫ ଲକ୍ଷ ଟଙ୍କା ସହ ସୁନାହାର, ୨ହଳ କାନଫୁଲ ନେଇଯାଇଛନ୍ତି ଲୁଟେରା  । ଲୁଟେରାମାନେ ଅଣ ଓଡିଆରେ କଥା ହେଉଥିବା କହିଛନ୍ତି ବଟକୃଷ୍ଣଙ୍କ ପତ୍ନୀ ସୁରତୀ । ଘଟଣା ସଂପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଆରମ୍ଭ କରିଦେଇଛି ଛାନ୍‌ଭିନ୍‌ । 


ଗତ ମାସ ଦୋଳ ପୂର୍ଣ୍ଣିମାରେ ସେହି ଗାଁର ରାମଚନ୍ଦ୍ର କରଙ୍କ ମଧ୍ୟରେ ସମାନ ଢଙ୍ଗରେ ଲୁଟି ନେଇଥିଲେ ଲୁଟେରା । ହାତ ଗୋଡ ବାନ୍ଧି ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ । ଗୋଟିଏ ମାସ ଭିତରେ ୨ ଦୁଇଟି ଲୁଟ୍‌ ଘଟଣାରେ ଭୟଭୀତ ହୋଇପଡିଛନ୍ତି ଗାଁ ଲୋକ।  ପୋଲିସର ଉଦାସୀନତାକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।  ଖୁବ ଶୀଘ୍ର ଲୁଟେରା ଧରା ନପଡିଲେ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.