ଦିନରେ ଅସହ୍ୟ ଗୁଳୁଗୁଳି, ରାତିରେ କାଳବୈଶାଖୀ, ୨୮ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Published By : Prameya-News7 Bureau | May 16, 2025 IST

ଭୁବନେଶ୍ୱର ୧୬/୦୫: ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗେଇବା ସହିତ ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ସମ୍ଭବତଃ ୨୮ ଓ ୨୯ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ବିସ୍ତାରିତ ଆକଳନ କରି ଏଭଳି ଚିତ୍ର ଆଙ୍କିଛି । 

ଆଇଏମଡିର ବିସ୍ତାରିତ ଆକଳନ ଅନୁସାରେ ମେ ମାସ ତୃତୀୟ ସପ୍ତାହ (୨୨ରୁ ୨୮ ତାରିଖ)ରେ ମୌସୁମୀ କେରଳ ଛୁଇଁପାରେ । ଏହି ସମୟରେ ମୌସୁମୀ ବାୟୁ ଉତ୍ତର ପୂର୍ବ ରାଜ୍ୟକୁ ମଧ୍ୟ ଅଗ୍ରସର ହୋଇପାରେ । ୧୫ ରୁ ୨୧ ତାରିଖ ଭିତରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨୨ରୁ ୨୮ ତାରିଖ ଭିତରେ ବି ବର୍ଷା ପରିମାଣ ବଢ଼ିପାରେ । ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ଘଡ଼ଘଡ଼ି ଓ ବର୍ଷା ଅଛି । ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଜଳିବ ପଶ୍ଚିମ ଓଡ଼ିଶା । ବୌଦ୍ଧ, ଟିଟିଲାଗଡ଼, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ନୂଆପଡ଼ାରେ ତାତି ୪୨ ଡିଗ୍ରୀ ସେଲସିୟସ୍‌ ବା ଏହାଠାରୁ ଅଧିକ ଟପିପାରେ। 

ସେପଟେ କମ୍‌ ତାତି ଥାଇ ବି ଅଧିକ ଆର୍ଦ୍ରତା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହେଉଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍‌ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍‌ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଅନୁଭୂତ ହେବ। 

ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍‌କା ୪୦ରୁ ୫୦ କିମି ଯାଏ ଛୁଇଁପାରେ। ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ଝଟ୍‌କା ଦେଇପାରେ ବୋଲି ଆକଳନ କରାଯାଇଛି । 

୧୭ ତାରିଖ ବା ଶନିବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିପାରେ। ସନ୍ଧ୍ୟାରେ ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍‌କା ୩୦ କିମି ଯାଏ ଛୁଇଁପାରେ। 

ଗୁରୁବାର ବୌଦ୍ଧ ସବୁଠୁ ଉତ୍ତପ୍ତ ପାଲଟିଥିଲା । ଏଠାରେ ଦିନ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୪୨.୨, ସମ୍ବଲପୁରରେ ୪୨, ହୀରାକୁଦରେ ୪୧.୬, ଟିଟିଲାଗଡ଼ରେ ୪୧.୫, ବଲାଙ୍ଗୀରରେ ୪୧.୧, ସୁନ୍ଦରଗଡ଼ରେ ୪୧, ରାଉରକେଲାରେ ୪୦.୫, ନୂଆପଡ଼ା ଓ ଭବାନୀପାଟଣାରେ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ୧୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଏଭଳି ତାତି ଅନୁଭୂତ ହେବ । 

ଦିନ ୧୧ଟାରେ ରାଜଧାନୀରେ ତାପମାତ୍ରା ୩୬.୬ ଡିଗ୍ରୀ ଥିଲା । ସେବେ ଆର୍ଦ୍ରତା ୫୧% ପାଖାପାଖି ରହିଥିଲା । ସେବେ ୪୫ ଡିଗ୍ରୀ ଭଳି ତାତି(ରିଅଲ ଫିଲ୍‌) ଅନୁଭୂତ ହେଉଥିଲା । ମଧ୍ୟାହ୍ନ ବେଳକୁ ରିଅଲ ଫିଲ୍‌ ପ୍ରାୟ ୫୦ ଡିଗ୍ରୀ ଛୁଇଁଥିଲା । କଟକରେ ମଧ୍ୟ ସମାନ ସେଭଳି ତାପମାତ୍ରା ଅନୁଭୂତ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘନ ଘନ ବଜ୍ରପାତ ଓ ବର୍ଷା ସହିତ ପବନ ବହିଛି । ନବରଙ୍ଗପୁର ଡାବୁଗାଁରେ ଜଣେ ମୃତ ଓ ୩ଜଣ ଆହତ ହୋଇଛନ୍ତି। 

ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଛନ୍ତି । ନୂଆପଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି । କନ୍ଧମାଳରେ କାଳବୈଶାଖୀ ବର୍ଷାରେ ବହୁ ଗଛ ଭାଙ୍ଗି ପଡ଼ିଛି। ବଲାଙ୍ଗୀର ଖପ୍ରାଖୋଲରେ ବଜ୍ରପାତ ମାଡ଼ରେ ବଳଦ ମରିଛନ୍ତି । ଝାରସୁଗୁଡ଼ାରେ ଡରାଇଛି କାଳବୈଶାଖୀ । ସନ୍ଧ୍ୟାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.