ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଛି ଗଣତି

Published By : Prameya-News7 Bureau | January 27, 2025 IST

ରାୟଗଡ଼ା ୨୭।୦୧ : ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି । ୬ ମାସ ପରେ ଖୋଲିଛି ମନ୍ଦିରର ୯ଟି ଦାନ ହୁଣ୍ଡି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍‌ କରାଯିବ ବୋଲି ସୂଚନା ମିଳିଛି । 

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି ଖୋଲିଛି । ୬ ମାସ ପରେ ସୋମବାର ( ଜାନୁଆରୀ ୨୭) ଦିନ ଖୋଲିଛି ମନ୍ଦିରର ହୁଣ୍ଡି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷାରେ ଚାଲିଛି ଗଣତି । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡିରୁ ସକାଳ ୧୦ଟା ୩୦ରୁ ଗଣତି ଆରମ୍ଭ ହୋଇଛି । ଯାହା ରାତି ୯ଟା ଯାଏଁ ଚାଲିବ । ଗଣତି କାମରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ ।  

ତେବେ ୬ ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୂପା ୨ କେଜି ୩୯୨ ଗ୍ରାମ ସହ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା । ଶେଷରେ ଦାନ ହୁଣ୍ଡିରୁ ବାହାରିଥିବା ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଡିପୋଜିଟ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


ଫର୍ମକୁ ଫେରିଲେ ବିରାଟ, ରଣଜୀ ମ୍ୟାଚ୍ ପୂର୍ବରୁ ପୁରୁଣା କୋଚ୍‌ଙ୍କ ଠାରୁ ନେଲେ ଟ୍ରେନିଂ

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.