ଦିଲ୍ଲୀରେ ଅବୈଧ ବସବାସ କରୁଥିବା ବାଂଲାଦେଶୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ୮ ଗିରଫ

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ ୨୨।୩: ଦକ୍ଷିଣ ଦିଲ୍ଲୀ ଜିଲ୍ଲା ପୋଲିସ ଶନିବାର ଅବୈଧ ଭାବେ ଜାତୀୟ ରାଜଧାନୀରେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ପୋଲିସ ଜିଲ୍ଲାର ଅଲଗା ଅଲଗା ସ୍ଥାନରୁ ୧୮ ଜଣ ବାଂଲାଦେଶୀଙ୍କୁ ଧରିଛି। ଏମାନଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ୬ ଜଣଙ୍କୁ ଡିପୋର୍ଟ କରାଯାଇଛି। ଏହା ଛଡା ଅନ୍ୟ ୪ ଜଣଙ୍କୁ ପଚରା ଉଚରା କରାଯାଇଥିବା ବେଳେ ଭାରତରେ ବାଂଲାଦେଶୀଙ୍କୁ ସହାୟତା କରୁଥିବା ୮ ଜଣଙ୍କୁ ପୋଲିସ କାବୁ କରିଛି। 

ଡିସିପି ଅଙ୍କିତ ଚୌହାନ କହିଛନ୍ତି ଯେ ପୋଲିସ ଅବୈଧ ପ୍ରବାସୀଙ୍କଠାରୁ ଆଧାର କାର୍ଡ, ପାନ କାର୍ଡ, ଭୋଟର ଆଇଡି ଓ ଭାରତୀୟ ପାସପୋର୍ଟ ଜବତ କରିଛି। ପୋଲିସ ଅଭିଯୁକ୍ତଙ୍କ ରହୁଥିବା ସ୍ଥାନର ତଲାସୀ ନେବା ବେଳେ ସେଠାରୁ ୨୩ଟି ଭୋଟର ଆଇଡି, ୧୯ଟି ପାନ କାର୍ଡ, ୧୭ଟି ଆଧାର କାର୍ଡ, ୧୧ଟି ବାର୍ଥ ସାର୍ଟିଫିକେଟ ଓ ୬ଟି ବ୍ଲାଙ୍କ ଭୋଟର ଆଇଡି କାର୍ଡ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ବିଦେଶୀ ଅଧିନିୟମ ଧାରା ସହିତ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମକଦ୍ଦମା ରୁଜୁ କରିଛି। 

ଏମାନଙ୍କୁ ଶରଣ ଦେବା ଓ ସେମାନଙ୍କ ପାଇଁ ଜାଲ କାଗଜପତ୍ର ପ୍ରସ୍ତୁତି ଅଭିଯୋଗରେ ୮ ଜଣ ଭାରତୀୟ ଙ୍କ ବିରୋଧରେ ମଧ୍ୟ ମକଦ୍ଦମା ରୁଜୁ କରିଛି। ଏହି ଭାରତୀୟମାନେ ଅଭିଯୁକ୍ତଙ୍କୁ ନକଲୀ କାଗଜପତ୍ରରେ ଚାକିରୀ ଓ ଘର ଭଡ଼ା ଦେଇଥିଲେ। ନକଲୀ କାଗଜପତ୍ରରେ ଦିଲ୍ଲୀରେ ରହୁଥିବା ଲୋକଙ୍କ ମଧ୍ୟରେ ମହମ୍ମଦ ଜ୍ୱେଲ ଇସ୍ଲାମ, ମହମ୍ମଦ ଆଲମଗିର, ମହମ୍ମଦ ଲତିଫ ଖାନ, ମହମ୍ମଦ ନଦୀମ ଶେଖ, ମହମ୍ମଦ ମିଜାନୁର ରହେମାନ, ରବିଉଲ, ମହମ୍ମଦ ରେଜାଉଲ ଓ କମରୁଜମ୍ମା ରହୁଥିଲେ। ଏମାନଙ୍କ ମଧ୍ୟରୁ ମହମ୍ମଦ ଲତିଫ ଦିଲ୍ଲୀରେ ଅଳିଆ ଗୋଟାଉଥିଲା ଓ ସମ୍ପର୍କୀୟଙ୍କ ମାଧ୍ୟମରେ ଘରକୁ ପଇସା ପଠାଉଥିଲା। 

ସେହିପରି ମହମ୍ମଦ ମିଜାନୁର ରହମାନ ଦିଲ୍ଲୀରେ ସ୍କ୍ରାପ ଡିଲର ଭାବେ କାମ କରୁଥିଲା। ରବିଉଲ ଡିଫେନ୍ସ କଲୋନୀରେ ଥିବା ଏକ ହସ୍ପିଟାଲରେ ଆଟଣ୍ଡାଣ୍ଟ ରୂପେ କାମ କରୁଥିଲା। ଏହି ବାଂଲାଦେଶୀ ରାକେଟର ମାଷ୍ଟରମାଇଣ୍ଡ ମହମ୍ମଦ ମୋଇନୁଦିନ ଦିଲ୍ଲୀରେ ଏକ କମ୍ପ୍ୟୁଟର ଦୋକାନ ଚଳାଉଥିଲା ଓ ବାଂଲାଦେଶୀ ନାଗରିକଙ୍କ ଲାଗି ନକଲୀ ଆଧାର କାର୍ଡ, ଜନ୍ମପ୍ରମାଣ ପତ୍ର, ଭୋଟର ଆଇଡି ଆଦି ତିଆରି କରୁଥିଲା। ସେହିପରି ଶହୀନ ବାଂଲାଦେଶୀ ଶରଣାର୍ଥୀଙ୍କୁ ଦିଲ୍ଲୀରେ ଚାକିରୀ ଦେଉଥିଲା। ମନବର ହୁସେନ ଓ ନିମାଇ କର୍ମକାର ବାଂଲାଦେଶୀମାନଙ୍କ ପଇସା ଘରକୁ ପଠାଉଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.