ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାରରେ ଉର୍ଦ୍ଧ୍ୱମୁଖୀ ଧାରା ଜାରି ରହିଛି । ଲଗାତାର ପଞ୍ଚମ ଦିନରେ ସେୟାର ବଜାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ ୮୦୯ ଅଙ୍କ ବଢି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୭୦୦ ସ୍ତର ପାର୍ କରିଛି । ଘରୋଇ ପୁଞ୍ଜି ବଜାରରେ ଆଜିର ବୃଦ୍ଧି ଯୋଗୁଁ ନିବେଶକଙ୍କ ସମ୍ପତ୍ତି ୨.୫ ଲକ୍ଷ କୋଟି ଟଙ୍କା ବଢିଛି । ଶୁକ୍ରବାର ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକର ପରିଣାମ ଆସିବ । କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ଉପରେ ବଜାରର ନଜର ରହିଛି । ସିଆରଆର ଅର୍ଥାତ୍ କ୍ୟାସ୍ ରିଜର୍ଭ ହ୍ରାସ ନେଇ ବିଶେଷଜ୍ଞଙ୍କ ଆଶା ରଖିଛନ୍ତି । ଏହି ଆଶାରେ ଗୁରୁବାର ଆଇଟି ଏବଂ ବ୍ୟାଙ୍କିଂ ସେୟାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ତେବେ ରିୟଲ୍ଟି ସେୟାରରେ ବିକ୍ରି ଯୋଗୁଁ କରାବାର ଆରମ୍ଭରେ ବଜାର ଚାପରେ ରହିଥିଲା । ଅନ୍ୟପଟେ ବ୍ରର୍ଡର ମାର୍କେଟରେ ବିଏସଇ ମିଡ୍କ୍ୟାପ୍ ୦.୨୭ ପ୍ରତିଶତ ଏବଂ ସ୍ମଲ୍କ୍ୟାପ୍ ୦.୧୬ ପ୍ରତିଶତ ବଢି ବନ୍ଦ ହୋଇଛି ।
ଦିନର କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୮୦୯.୫୩ ପଏଣ୍ଟ ବା ୧ ପ୍ରତିଶତ ବଢି ୮୧,୭୬୫.୮୬ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୨୪୦.୯୫ ଅଙ୍କ ବଢି ୨୪,୭୦୮.୪୦ ସ୍ତରରେ ବନ୍ଦ ହୋଇଛି ।
ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ଆଜି ବଢି ୪୫୮.୨୧ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କରାବର ଦିନ ଅର୍ଥାତ୍ ବୁଧବାର ଏହା ୪୫୫.୬୬ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୫୫ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ, ନିବେଶକଙ୍କ ସମ୍ପତ୍ତି ଆଜି ୨.୫୫ ଲକ୍ଷ କୋଟି ଟଙ୍କା ବଢିଛି ।
ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୭ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଟିସିଏସ୍ ସେୟାର ମୂଲ୍ୟରେ ଆଜି ସବୁଠୁ ଅଧିକ ୨.୩୯ ପ୍ରତିଶତ ବୃଦ୍ଧି ଘଟିଛି । ଇନଫୋସିସ୍, ଟାଇଟନ୍, ଭାରତୀ ଏୟାରଟେଲ୍ ଏବଂ ବଜାଜ ଫାଇନାନ୍ସ ସେୟାର ମୂଲ୍ୟ ୧.୬୮ ପ୍ରତିଶତରୁ ୨.୩୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ବିଏସଇରେ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ୍, ଏନଟିପିସି ଏବଂ ଏସିଆନ୍ ପେଣ୍ଟ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।