ବେଳାଭୂମିରେ ବାହାଘର ଟେଣ୍ଟ, କିଏ ଦେଲା ଅନୁମତି ? ଉଠିଲା ପ୍ରଶ୍ନ

Published By : Prameya-News7 Bureau | March 05, 2025 IST

ପୁରୀ ୦୫/୦୩ପୁରୀ ବେଳାଭୂମିରେ ବିବାହ ମଣ୍ଡପ। ଡେଷ୍ଟିନେସନ ଓ୍ବେଡିଙ୍ଗ୍‌ ପାଇଁ ବ୍ୟାପକ ସାଜସଜ୍ଜା। ପୁରୀ ବେଳାଭୂମିରେ ବେଆଇନ୍ ଭାବେ ବିବାହ ଉତ୍ସବ ଆୟୋଜନ ପାଇଁ ଟେଣ୍ଟ ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହେବାପରେ‌ ଏହାକୁ ପୁରୀ ପୌରପାଳିକା ଉଚ୍ଛେଦ କରିଛି।ସିଆରଜେଡ୍ ନିୟମ ଅନୁଯାୟୀ ପୁରୀ ବେଳାଭୂମିରେ କୌଣସି ବେଆଇନ୍ ନିର୍ମାଣ ନିଷିଦ୍ଧ ଥିବାବେଳେ ପୁରୀ ପୌରପାଳିକା ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଜଣେ ବ୍ୟକ୍ତିକୁ ବିବାହ ଉତ୍ସବ ଆୟୋଜନ ପାଇଁ କିଭଳି ଅନୁମତି ଦେଲା ତା'କୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।ବେଳାଭୂମିରେ ବିବାହ ଉତ୍ସବ ପାଇଁ ଅନୁମତି ଦେବା ଘଟଣାରେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


ପୁରୀ ବେଳାଭୂମିକୁ ଭାବୁଛନ୍ତି କଣ ? କିଏ କେତେବେଳେ ପ୍ଲଟିଂ କରୁଛି ତ କିଏ କରୁଛି ବାହାଘର ଟେଣ୍ଟ ? ପୁରୀ ଜିଲ୍ଲା ପ୍ରଶାସନ କରୁଛି କଣ ? ପୁରୀ ସମୁଦ୍ରକୂଳରେ ବାହାଘର ଟେଣ୍ଟ। ଧୁମ୍‌ଧାମ୍‌ରେ ବାହାଘର ପାଇଁ ସଜାଯାଇଛି ଟେଣ୍ଟ। ସିଆର୍‌ଜେଡ୍ ନିୟମ ଅନୁସାରେ ବେଳାଭୂମିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ତେବେ ବେଳାଭୂମିରେ ପୁରୀ ମ୍ୟୁନିସପାଲିଟିର ଅନୁମତି ନେଇ ନିର୍ମାଣ କରାଯାଇଛି ବାହାଘର ଟେଣ୍ଟ। ଆଉ ଯେତେବେଳେ ଏନେଇ ଅଭିଯୋଗ ହୋଇଛି ସେତେବେଳେ ପ୍ରଶାସନ ପକ୍ଷରୁ ଏହାକୁ ଭଙ୍ଗାଯାଇଛି। ତେବେ ପୁରୀ ପୌରପାଳିକା ଏଥିପାଇଁ ଅନୁମତି ଦେଲା କିପରି ?  


ରାଉରକେଲାର ସୁବାସ ଚନ୍ଦ୍ର ବାରିକଙ୍କୁ ବେଳାଭୂମିରେ ବାହାଘର ମଣ୍ଡପ କରିବାକୁ କିଭଳି ଅନୁମତି ଦିଆଗଲା ? ପୂର୍ବରୁ ବିଭିନ୍ନ ଇଭେଣ୍ଟ ସଂସ୍ଥା ପକ୍ଷରୁ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଖାରଜ ହୋଇଥିବା ବେଳେ ରାଉରକେଲା ଛେଣ୍ଡ କଲୋନୀର ସୁବାଷ ଚନ୍ଦ୍ର ବାରିକଙ୍କୁ ମାର୍ଚ୍ଚ ୫ରେ ଏହି ବାହାଘର ଆୟୋଜନ ପାଇଁ କିଭଳି ଅନୁମତି ମିଳିଲା ତାକୁ ନେଇ ଉଠିଛି ପ୍ରଶ୍ନ। 

 

ଗତ ଜାନୁଆରୀ ୯ରେ ରାଉରକେଲା ଛେଣ୍ଡ କଲୋନୀର ସୁବାଷ ଚନ୍ଦ୍ର ବାରିକ ପୁରୀ ବେଳାଭୂମିର ହାଉସିଙ୍ଗ ବୋର୍ଡ କଲୋନୀ ସମ୍ମୁଖରେ ଏକ ବିବାହ ଆୟୋଜନ ପାଇଁ ପୁରୀ ପୌରପାଳିକାକୁ ଅନୁମତି ମାଗିଥିଲେ। ଜାନୁଆରୀ ୨୧ରେ ଏଥିପାଇଁ ଅନୁମତି ଦିଆଯାଇଥିଲା। ଅନୁମତି ପତ୍ର ଦିଆଯିବା ସହିତ ସଲିଡ୍ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ୨୦୧୬ର ନିୟମ, ପ୍ଲାଷ୍ଟିକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ନିୟମ ମାନିବା ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଥିବା ନେଇ ଅବଗତ କରାଯାଇଥିଲା। ଏଥିସହ ୧୦ ହଜାର ଟଙ୍କା ସାନିଟେସନ ଫି ପୌରପାଳିକାରେ ଜମା କରିବାକୁ କୁହାଯାଇଥିଲା। 



ଏହି ଚିଠିର କପି ବଳିଆପଣ୍ଡା ଥାନା ଅଧିକାରୀଙ୍କ ସହିତ ପୁରୀ ସିଟି ଡିଏସପି, ପୌରପାଳିକାର ଏନଫୋର୍ସମେଣ୍ଟ ଅଧିକାରୀ, ଜିଲ୍ଲାପାଳ, ଏସ୍ପିଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ସବୁ ପ୍ରଶାସନିକ ଅଧିକାରୀ ଏନେଇ ଅବଗତ ଥିଲେ ମଧ୍ୟ କେମିତି ଏବଂ କେଉଁ ପରିସ୍ଥିତିରେ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଗଲା ? ସେପଟେ ପୁରୀ ପୌର ଅଧିକାରୀ ଅଜବ ଯୁକ୍ତି ବାଢ଼ି କହିଛନ୍ତି ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ପୌରପାଳିକା ଏହି ଅନୁମତି ଦେଇଥିଲା। ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳ କହିଛନ୍ତି ସିଆରଜେଡ୍ ନିୟମ ଅନୁଯାୟୀ ପୁରୀ ବେଳାଭୂମିରେ କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ। ଏହି ଘଟଣା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ନିର୍ମାଣ ହୋଇଥିବା ବିବାହ ମଣ୍ଡପକୁ ଉଛେଦ କରାଯାଇଛି।


  • puri
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.