ହଲଦ୍ୱାନୀ ହିଂସାର ମାଷ୍ଟର ମାଇଣ୍ଡ ଗିରଫ, ଦିଲ୍ଲୀରେ ଲୁଚିଥିଲା

Published By : Prameya-News7 Bureau | February 11, 2024 IST

ଲକ୍ଷ୍ନୌ: ଉତ୍ତରାଖଣ୍ଡର ନୈନୀତାଲର ହଲଦ୍ବାନୀର ବନଭୂଲପୁରାରେ ହିଂସା ଘଟଣାରେ ପୋଲିସ ପ୍ରଶାସନ କଡ଼ା ଆକ୍ସନ ନେଇଛି। ହଲଦ୍ବାନୀ ହିଂସାର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ଅବ୍ଦୁଲ ମଲିକକୁ ଗିରଫ କରାଯାଇଛି। ପୋଲିସ ବନଭୂଲପୁରା ମାମଲାରେ ମୁଖ୍ୟ ଅଭିଯୁକ୍ତ ମଲିକକୁ ଦିଲ୍ଲୀରୁ ଗିରଫ କରିଛି।

ଏହା ପୂର୍ବରୁ ହିଂସା ଘଟଣାରେ ପୋଲିସ ସପା ନେତାଙ୍କ ଭାଇ, ଦୁଇ ପୂର୍ବତନ କର୍ପୋରେଟର ସମେତ ପାଞ୍ଚ ଜଣକୁ ଗିରଫ କରିସାରିଛି। ଆହୁରି ମଧ୍ୟରେ ପଥର ମାଡ଼, ପେଟ୍ରୋଲ ବୋମା, ଅବୈଧ ହତିଆର ଏବଂ ପୋଡ଼ାଜଳାରେ ସାମିଲ ପ୍ରାୟ ୧୦୦ ସନ୍ଦିଗ୍ଧଙ୍କୁ ମଧ୍ୟ ଧରିଛି।

ଖାଲି ସେତିକି ନୁହେଁ, ପୋଲିସ ୫ ହଜାର ଲୋକଙ୍କ ଉପରେ ଏଫଆଇଆର ମଧ୍ୟ ରୁଜୁ କରିଛିନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ନିର୍ଦ୍ଦେଶରେ ପୋଲିସ ଦିନରାତି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଗତ ଚାରି ଦିନରୁ କର୍ଫ୍ୟୁ ଲାଗିଛି । ପୋଲିସ ଟିମ୍‌ ଏବେବି ଦିଲ୍ଲୀ-ଏନସିଆର, ୟୁପି, ହରିୟାଣାରେ ରେଡ୍ ଚଳାଇଛି। ବନଭୂଲପୁରାରେ ପୋଲିସ ଏବଂ ଅର୍ଦ୍ଧସାମରିକ ବଳଙ୍କୁ ନିୟୋଜିତ କରାଯାଇଛି। ପୋଲିସର କହିବା ଅନୁଯାୟୀ, ହିଂସା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।

ଆହୁରି ପଢ଼ନ୍ତୁ: ହଲଦ୍ୱାନୀ ହିଂସା; ୬ମୃତ, ଶତାଧିକ ଆହତ, କର୍ଫ୍ୟୁ ଜାରି ଏବଂ ଇଣ୍ଟରନେଟ୍ ବନ୍ଦ

ଉଲ୍ଲେଖଯୋଗ୍ୟ, ଫ୍ରେବୃଆରୀ ୮ ତାରିଖରେ ପୋଲିସ ପ୍ରଶାସନର ଟିମ୍‌ ବନଭୂଲାପୁରାରେ ବେନାମୀ ଜମିରେ ତିଆରି ହୋଇଥିବା ମଦ୍ରାସା ଏବଂ ମସଜିଦକୁ ହଟାଇବା ପାଇଁ ଯାଇଥିଲେ। ପ୍ରଶାସନର କହିବା ଅନୁଯାୟୀ, ମଦ୍ରାସା ଏବଂ ମସଜିଦର ନିର୍ମାଣ ଅବୈଧ। ହାଇକୋର୍ଟ ଜାନୁଆରୀ ୩୦ ଏହାକୁ ହଟାଇବାକୁ ଆଦେଶ ଦେଇଥିଲେ। ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମୁତାବକ ଟିମ୍‌ ସେଠାରେ ପହଞ୍ଚିଥିଲା। ହେଲେ ସ୍ଥାନୀୟ ଲୋକେ ଏହାର ବିରୋଧ କରିବା ସହ ପୋଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସମଗ୍ର ସହରେ ହିଂସା ବ୍ୟାପିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.