ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂରହେଲା, ୧୮୦ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ

Published By : Prameya-News7 Bureau | May 21, 2025 IST

ଭୁବନେଶ୍ବର ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି । କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି । ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି ।    

ଏହାସହ ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗଦେବା ପରେ, ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ବ ଥିଲା । ସେ ସମସ୍ୟା ମଧ୍ୟ ଦୂର ହୋଇପାରିଛି । ଏହା ସହିତ ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି । 

ନୂତନ ନିଷ୍ପତ୍ତି ଅନୁଯାୟୀ- ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ । କିନ୍ତୁ, ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ, ସେ ସରକାରୀ ସେବାରେ ଯୋଗଦେବା ପରେ, ତାଙ୍କର ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ତେଣୁ ଏହି କ୍ଷେତ୍ରରେ, ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହେବ ।

ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ଵ ଛୁଟି ପ୍ରଦାନ କରାଯିବ । ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ ।

ଯଦି ମାତୃତ୍ବ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ଉଚ୍ଚ ପଦବୀରେ ଯୋଗଦେଲେ ବୋଲି ଧରାଯିବ । ସେ ତାଙ୍କର ମାତୃତ୍ବ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ ।

ଜଣେ ମହିଳା ସରକାରୀ କର୍ମଚାରୀ ତାଙ୍କର ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ ।

You Can Read:

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା, କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.