ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ୍‌ କଲେ ମୌଲାନା, କହିଲେ-ହୋଲି ଖେଳିବା ଅପରାଧ...

Published By : Prameya-News7 Bureau | March 17, 2025 IST

ମୁମ୍ଵାଇ ୧୭।୦୩; ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି । ଗତ କିଛି ଦିନ ହେବ ସେ ଚର୍ଚ୍ଚାରେ ଥିଲେ । ଶାମି ରୋଜା ନରଖିବାରୁ ଖୁବ୍‌ ଟ୍ରୋଲ ହୋଇଥିଲେ। ଏବେ ତାଙ୍କ ଝିଅ ହୋଲି ଖେଳିବାରୁ ଟାର୍ଗେଟ୍‌କୁ ଆସିଛନ୍ତି। ଶାମିଙ୍କ ଝିଅ ହୋଲିରେ ତାଙ୍କ ମା ସହିତ ରଙ୍ଗ ଖେଳିଥିଲେ । ସେବେଠାରୁ ଶାମିଙ୍କୁ କଡ଼ା ସମାଲୋଚନା କରାଯାଉଥିଲା।

ଭାରତୀୟ ମୁସଲିମ ଜମାତ ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ କରିଛନ୍ତି। ଶାମିଙ୍କ ଝିଅ ହୋଲି ଖେଳିବାରୁ ମୌଲାନା ରଜଭି ତାହାକୁ ଅପରାଧ ଓ ସିରିୟା ଆଇନ ବିରୋଧରେ ବୋଲି କହିଛନ୍ତି। ସେ ଜଣେ ଛୋଟ ଝିଅ। ଯଦି ସେ ନ ଜାଣି ହୋଲି ଖେଳିଛନ୍ତି, ତେବେ ତାହା ଅପରାଧ ନୁହେଁ। କିନ୍ତୁ ଯଦି ସେ ସବୁ କିଛି ବୁଝି ଏହା କରିଛନ୍ତି, ତେବେ ଏହାକୁ ସିରିୟା ଆଇନ ବିରୋଧରେ ବୋଲି ଧରାଯିବ। ମୁଁ ଶାମି ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅନୁରୋଧ କରୁଛି ଯେ, ଯାହା ସିରିୟା ଆଇନରେ ନାହିଁ, ତାହା ଛୁଆଙ୍କୁ କରିବାକୁ ଦିଅ ନାହିଁ। ହୋଲି ହିନ୍ଦୁଙ୍କ ପାଇଁ ଏକ ବଡ଼ ପର୍ବ। କିନ୍ତୁ ମୁସଲମାନମାନେ ଏହା ଠାରୁ ଦୂରେଇ ରହିବା ଉଚିତ। 

ଯଦି କେହି ସିରିୟା ଆଇନକୁ ଜାଣିବା ପରେ ହୋଲି ପାଳନ କରୁଛନ୍ତି, ତେବେ ତାହା ଅପରାଧ ବୋଲି ମୌଲାନା ରଜଭି ଏକ ଭିଡିଓରେ କହିଛନ୍ତି। ଏହା ବ୍ୟତୀତ ସେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ମୁଁ ଭାରତୀୟ ଦଳର ଅଧିନାୟକ, ସମସ୍ତ ଖେଳାଳି ଓ ମହମ୍ମଦ ଶାମିଙ୍କୁ ମୋ ହୃଦୟରୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି। ଏହାପୂର୍ବରୁ ମାର୍ଚ୍ଚ ୬ରେ ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶାମିଙ୍କୁ ଜୁସ୍‌ ପିଇବା ପାଇଁ ମୌଲାନା ରଜଭି ଟାର୍ଗେଟ କରିଥିଲେ ଏବଂ ଉପବାସ ନକରିବାରୁ ତାଙ୍କୁ ଜଣେ ଅପରାଧୀ ବୋଲି କହିଥିଲେ। ସେ କହିଥିଲେ ଯେ କ୍ରିକେଟ୍ ଖେଳିବା ଭୁଲ୍‌ ନୁହେଁ, କିନ୍ତୁ ମହମ୍ମଦ ଶାମି ତାଙ୍କର ଧାର୍ମିକ ଦାୟିତ୍ଵ ପାଳନ କରିବା ଉଚିତ୍। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.