ନୂଆଦିଲ୍ଲୀ ୨/୧୨: ପୁରୁଷ ଜୁନିୟର ଏସିଆ କପ୍ ହକିରେ ଟିମ୍ ଇଣ୍ଡିଆ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ମାଲେସିଆକୁ ଭେଟିବ ଦଳ । ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଜାପାନ ମଧ୍ୟରେ ଖେଳାଯିବ । ରବିବାର ଭାରତୀୟ ଦଳ ପୁଲ୍ -ଏ’ର ଅନ୍ତିମ ମ୍ୟାଚରେ ଦକ୍ଷିଣ କୋରିଆକୁ ୮-୧ ଗୋଲରେ ମାତ୍ ଦେଇ ସେମିରେ ସ୍ଥାନ ପକ୍କା କରିଥିଲା ।
ପୁଲ୍ ପର୍ଯ୍ୟାୟର ୪ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅପରାଜେୟ ରହିଛି । ମୋଟ୍ ୧୨ ପଏଣ୍ଟ ସହ ଦଳ ଟେବୁଲ ଟପ୍ରେ ରହିଛି । ସେହିପରି ଜାପାନ ୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେପଟେ ପୁଲ୍ ବି’ରେ ପାକିସ୍ତାନ ୧୨ ପଏଣ୍ଟ ସହ ଟପ୍ପର ଏବଂ ମାଲେସିଆ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଏଥିସହିତ ଏହି ୪ ଦଳ ୨୦୨୫ ଜୁନିୟର ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ରବିବାର ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ଏକତରଫା ଭାବେ ମାତ୍ ଦେଇଥିଲା । ଅର୍ଶଦୀପ ସିଂ ହ୍ୟାଟ୍ରିକ୍ ଗୋଲ୍ ଦେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୯, ୪୪, ୬୦ ମିନିଟରେ ଗୋଲ୍ ସ୍କୋର କରିଥିଲେ । ସେହିପରି ଅରଇଜିତ ହୁଣ୍ଡାଲ ୩ ଓ ୩୭ ମିନିଟରେ, ଗୁରଜୋତ ସିଂ ୧୧ ମିନିଟରେ, ରୋଶନ କୁଜୁର ୨୭ ମିନିଟରେ ଏବଂ ୩୦ ମିନିଟରେ ରୋହିତ ଗୋଲ୍ ସ୍କୋର କରିଥିଲେ ।
ପୂର୍ବରୁ ଭାରତ ୧୬-୦ରେ ଚାଇନିଜ ତାଇପେଇକୁ, ୩-୨ରେ ଜାପାନକୁ ଏବଂ ୧୧-୦ରେ ଥାଇଲାଣ୍ଡକୁ ପରାଜିତ କରିଥିଲା । ଅର୍ଶଦୀପ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୭ଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଛନ୍ତି । ସେମିତି ଅରଇଜିତ ୬ଟି ଗୋଲ୍ ଦେଇଛନ୍ତି ।