ନୂଆଦିଲ୍ଲୀ ୧୨।୧୨: ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ପ୍ରତିବର୍ଷ ଦେଢ ନିୟୁତ ଅର୍ଥାତ ପ୍ରାୟ ୧୫ ଲକ୍ଷ ଲୋକ ଦୀର୍ଘ ସମୟ ଧରି ପିଏମ୨.୫ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ରହିବା ଯୋଗୁ ପ୍ରାଣ ହରାଉଛନ୍ତି। ‘ଦି ଲେସେଣ୍ଚ ପ୍ଲାନେଟରୀ ହେଲଥ୍ ଜର୍ଣ୍ଣାଲ’ ରେ ପ୍ରକାଶିତ ଗବେଷଣା ନିବନ୍ଧରେ ଏହା ପ୍ରକାଶିତ ହୋଇଛି। ଏହି ଗବେଷଣାରେ ହରିୟାଣାର ଅଶୋକା ବିଶ୍ୱବିଦ୍ୟାଳୟ ଓ ନୂଆଦିଲ୍ଲୀର ସେଣ୍ଟର ଫର କ୍ରନିକ ଡିଜିଜ କଣ୍ଟ୍ରୋଲ (ସିସିଡିସି)ର ଗବେଷକମାନେ ସାମିଲ ଥିଲେ।
ଗବେଷକମାନେ କହିଛନ୍ତି ଯେ ଭାରତର ୧.୪ ବିଲିୟନ ଜନସଂଖ୍ୟା ଏପରି ଅଞ୍ଚଳରେ ରହୁଛନ୍ତି ଯେଉଁଠି ବାଯୁରେ ପିଏମ୨.୫ର ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଦ୍ୱାରା ନିର୍ଦ୍ଦେଶିତ ବାର୍ଷିକ ହାରାହାରି ୫ ମାଇକ୍ରୋ ଗ୍ରାମ ପ୍ରତି ଘନମିଟରରୁ ବି ଅଧିକ ରହୁଛି। ଟିମ୍ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ୧.୧ବିଲିୟନ ଜନସଂଖ୍ୟା ଏପରି କ୍ଷେତ୍ରରେ ରହୁଛନ୍ତି ଯେଉଁଠି ବାର୍ଷିକ ପିଏମ୨.୫ର ସ୍ତର ଭାରତୀୟ ଜାତୀୟ ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡ ନିର୍ଦ୍ଦେଶିତ ସ୍ତର (୪୦ମାଇକ୍ରନ ପ୍ରତି ଘନମିଟର) ଠାରୁ ଅଧିକ ରହୁଛି।
ଗବେଷଣାରୁ ଜଣାପଡିଛି ଯେ ବାୟୁରେ ପିଏମ ୨.୫ ପ୍ରଦୂଷଣରେ ପ୍ରତି ଘନ ମିଟର ୧୦ ମାଇକ୍ରନର ବାର୍ଷିକ ବୃଦ୍ଧି ଯୋଗୁ ବାର୍ଷିକ ମୃତ୍ୟୁ ହାରରେ ୮.୬ ପ୍ରତିଶତ ବୃଦ୍ଧି ହେଉଛି। ଟିମ୍ କହିଛନ୍ତି ଯେ ଭାରତରେ ବାୟୁ ପ୍ରଦୂଷଣର ଦୀର୍ଘକାଳୀନ ପ୍ରଭାବ ଓ ଏଥିରୁ ହେଉଥିବା ମୃତ୍ୟୁ ସମ୍ପର୍କରେ ସାକ୍ଷ ଦୁର୍ଲଭ ତଥା ଅନ୍ୟ ଦେଶଙ୍କ ଅଧ୍ୟୟନ ସହିତ ମେଳ ଖାଉ ନାହିଁ। ତେବେ ଗତ କିଛି ବର୍ଷ ହେଲା ଭାରତରେ ପିଏମ୨.୫ ପ୍ରଦୂଷଣ ସ୍ତରରେ ବ୍ୟାପକ ବୃଦ୍ଧି ଦେଖାଯାଇଛି।
ବାୟୁରେ ପିଏମ୨.୫ର ସବୁଠୁ କମ ବାର୍ଷିକ ସ୍ତର (୧୧.୨ ମାଇକ୍ରନ ପ୍ରତି ଘନ ମିଟର) ଅରୁଣାଚଳ ପ୍ରଦେଶର ଲୋଅର ସୁବନସିରି ଜିଲ୍ଲାରେ ୨୦୧୯ ମସିହାରେ ରେକର୍ଡ କରାଯାଇଥିଲା। ପିଏମ୨.୫ର ସବୁଠୁ ଅଧିକ ବାର୍ଷିକ ସ୍ତର(୧୧୯ ମାଇକ୍ରନ ପ୍ରତି ଘନମିଟର) ଗାଜିୟାବାଦ, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ୨୦୧୬ ମସିହାରେ ଦେଖାଯାଇଥିଲା। ଅଧ୍ୟୟନରେ ଏହି କଥା ଉପରେ ଆଲୋକପାତ କରାଯାଇଛି ଯେ ସରକାର ପୁରା ଦେଶର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରେ ସୁଧାର ଆଣିବା ପାଇଁ ଦୀର୍ଘ କାଳୀନ ଉପାୟ କରିବା ତଥା ଡବ୍ଲୁଏଚଓ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ତତ୍କାଳ ଦୃଢ ନିୟମ କରିବା ଜରୁରି।