ଟିକେଟ କଟିବାରୁ ବିଦ୍ରୋହୀ ହେଲେ AAP ନେତା, କହିଲେ- କେଜରିୱାଲଙ୍କ ବିରୋଧରେ କରିବେ ପ୍ରତିଦ୍ୱନ୍ଦ୍ୱିତା

Published By : Prameya-News7 Bureau | December 12, 2024 IST

ନୂଆଦିଲ୍ଲୀ ୧୨।୧୨: ଆମ ଆଦମୀ ପାର୍ଟି (ଆପ)ର କିଛି ବିଧାୟକ ଟିକେଟ କଟାଯିବା କାରଣରୁ ଏବେ ବିଦ୍ରୋହୀ ହୋଇପଡିଛନ୍ତି। ସିଲମପୁର ବିଧାୟକ ଅବଦୁଲ ରହମାନ ପାର୍ଟି ଛାଡି ଦେଇଥିବା ବେଳେ ଆଉ କିଛି ଏହି ଦିଗରେ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ତ୍ରିଲୋକପୁରୀ ବିଧାୟକ ରୋହିତ କୁମାର ଦିଲ୍ଲୀ ବିଧାନସଭା ଆସନରେ ଅରବିନ୍ଦ କେଜରିୱାଲଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଥିବା କହିଛନ୍ତି।  

ଗଣମାଧ୍ୟମ ସହ ଆଲୋଚନାରେ ରୋହିତ ପାର୍ଟି ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ କହିଛନ୍ତି ଯେ ଆନ୍ନା ଆନ୍ଦୋଳନ କାଳରୁ ପାର୍ଟି ସହ ଜଡିତ ପୁରୁଣା ନେତାଙ୍କୁ କୋଣଠେସା କରି ଏପରି ଲୋକଙ୍କୁ ଏବେ ଟିକେଟ୍ ଦିଆଯାଉଛି ଯେଉଁମାନଙ୍କ ସହ ଏପର୍ଯ୍ୟନ୍ତ ଆମେ ଲଢୁଥିଲୁ। ଆପ ତ୍ରିଲୋକପୁରୀ ସିଟ୍ ରେ ବିଧାୟକ ରୋହିତ କୁମାରଙ୍କ ଟିକେଟ୍ କାଟି ଅଞ୍ଜନା ପାରଚାଙ୍କୁ ଦେଇଛି। ଏଣୁ ରୋହିତ ଏବେ ନିଜ ଆସନରୁ ନିର୍ଦଳୀୟ ଲଢିବା ସହିତ କେଜରିୱାଲଙ୍କ ଦିଲ୍ଲୀ ସିଟ୍‌ରେ ମଧ୍ୟ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତି ନେଇଥିବା କହିଛନ୍ତି। ରୋହିତ କହିଛନ୍ତି କଣ କରାଯିବ ଓ ସେ କେଉଁଠୁ ଲଢିବେ ସେ ନେଇ ନିଜ ଟିମ୍‌ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ। 

ରୋହିତ କହିଛନ୍ତି ନୂଆଦିଲ୍ଲୀ ବିଧାନସଭା ସିଟ୍‌ରେ ସେ କେଜରିୱାଲଙ୍କ ପାଇଁ କାମ କରିଛନ୍ତି। ସେ କେଜରିୱାଲଙ୍କୁ ନୂଆ ଦିଲ୍ଲୀ ବାଲ୍ମିକୀ ବସ୍ତି ଓ ମନ୍ଦିରକୁ ନେଇ ଯାଇଥିଲେ। ସେ କହିଛନ୍ତି ଯେ ଦଳିତ ସମାଜକୁ ମୁଁ ଘରକୁ ଘର ଯାଇ ପାର୍ଟି ପାଇଁ ଏକଜୁଟ କରିଥିଲି। ରୋହିତ ତାଙ୍କର ଅସନ୍ତୋଷ ପ୍ରକାଶ କରି ଆମେ ଯେଉଁମାନଙ୍କୁ ଭ୍ରଷ୍ଟାଚାରୀ ଓ ଚୋର କହୁଥିଲୁ ଏବେ ପାର୍ଟି ସେହିମାନଙ୍କୁ ଟିକେଟ୍ ଦେଉଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଆମ ଆନ୍ଦୋଳନ ସାଥୀ ସନ୍ତୋଷ କାଲୀଙ୍କ ହତ୍ୟା ଅଭିଯୁକ୍ତ ବୀର ସିଂହ ଧିଙ୍ଗାନଙ୍କୁ ପାର୍ଟି ଟିକେଟ୍ ଦେଇଛି। 

ରୋହିତ କହିଛନ୍ତି ଯେ ଟିକେଟ କଟାଯିବା ପୂର୍ବରୁ ପାର୍ଟିରେ ବିଧାୟକଙ୍କ ସହ ଆଲୋଚନା କରାଯାଇନି । ବିଧାୟକମାନଙ୍କୁ ବିଶ୍ୱାସକୁ ନିଆଯାଇ ନାହିଁ। ସେ କହିଛନ୍ତି ଯେ ୧୫ ବର୍ଷ ପୂର୍ବେ ନିଜ କ୍ୟାରିୟର ଛାଡି ସେ ଆନ୍ନା ଆନ୍ଦୋଳନରେ ଯୋଗ ଦେଇଥିଲେ। ଏଥି ପାଇଁ ପିଲାଙ୍କ ଭବିଷ୍ୟତ ନିମନ୍ତେ କରିଥିବା ସଞ୍ଚୟ ପାର୍ଟିରେ ଖର୍ଚ୍ଚ କରିଥିଲେ। ତେବେ ଆନ୍ଦୋଳନରେ ଯେଉଁମାନେ ସାଥୀ ଥିଲେ ପାର୍ଟି ସେମାନଙ୍କୁ ଜଣଜଣ କରି ସାଇଡ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.