ଭୁବନେଶ୍ବର ୧୨।୧୨: ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବଡ଼ ବୟାନ । ବିଜେଡ଼ି ବିଧାୟକ-ସାଂସଦ ବିଜେପି ଯୋଗାଯୋଗରେ ବୋଲି ତୋମାର କହିଛନ୍ତି । ଜାନୁଆରୀରେ ବିଜେପିର ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।ସେପଟେ ରାଜ୍ୟସଭା ରେସ୍ ନେଇ ତୋମାର କହିଛନ୍ତି, ସୁଜିତ କୁମାର ଆମ ସାଂସଦ ଭାବେ ରାଜ୍ୟସଭା ଯିବେ । ଆଗକୁ କିଏ ଆସିବ ପ୍ରଶ୍ନରେ ସେ କହିଛନ୍ତି, ବିଜେଡ଼ିର ବହୁତ ବିଧାୟକ ଓ ସାଂସଦ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ।
ତୋମାର ଆହୁରି ମଧ୍ୟ କହିଛନ୍ତି ଯେ, ଆମର ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହୋଇଛି । ମଣ୍ଡଳ ନିର୍ବାଚନ ଚାଲିଛି । ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ହେବ । ପରେ ରାଜ୍ୟ ସଭାପତି ବଛାଯିବେ । ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ ବୋଲି ତୋମାର କହିଛନ୍ତି । ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହୋଇ ସଭାପତି ବଛାଯିବେ ।
ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ସହ ଯେତେବେଳେ ବିଜେପି ସରକାରକୁ ଆସିଛି ସେତେବେଳେ ରାଜନୈତିକ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି । ଆଉ ବିଜେଡିରୁ ଜଣକ ପରେ ଜଣେ ନେତା ବିଜେପି କ୍ୟାମ୍ପକୁ ଡେଇଁବା ପରେ ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ମମତା ମହାନ୍ତ ଓ ସୁଜିତ କୁମାରଙ୍କ ପରେ ଆଉ କେଉଁ ବିଜେଡି ନେତା ବିଜେପି ଲିଙ୍କ୍ରେ ଅଛନ୍ତି ତାକୁ ନେଇ ରାଜନୈତିକ ବୟାନବାଜି ଚାଲିଛି । ମମତା ଓ ସୁଜିତଙ୍କ ପରେ କିଏ ? ଆଉ କେତେ ନେତା ବିଜେଡି ଛାଡ଼ି ବିଜେପିରେ ମିଶିବେ ? ଏଭଳି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ମମତା ମହାନ୍ତ ଓ ସୁଜିତ୍ କୁମାର ତ ବିଜେଡି ଛାଡ଼ି ବିଜେପି କ୍ୟାମ୍ପକୁ ଆସି ସାରିଛନ୍ତି, ହେଲେ ବିଜେଡିର ଆହୁରି ବହୁ ବିଧାୟକ ଓ ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ତୋମାର କହିଥିଲେ । ବିଜେପି ବିଧାୟକ ଅଶୋକ ମହାନ୍ତି କହିଥିଲେ ବିଜେଡିର ବଡ଼ ନେତାମାନେ ବିଜେପିରେ ମିଶିବାକୁ ଯାଉଛନ୍ତି । ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ । ସେହିଭଳି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ପୁଣି ଥରେ ତାଙ୍କର ସେହି ପୁରୁଣା ଷ୍ଟାଇଲ୍ରେ ବିଜେଡିକୁ ଟାର୍ଗେଟ୍ କରିଥିଲେ । ଜୟ ନାରାୟଣ କହିଥିଲେ ବିଜେପି ହୁଇସିଲ୍ ମାରିଲେ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ହେଲେ ଆମେ ଚାହୁଁଛୁ ଶତ୍ରୁ ବଞ୍ଚି ରୁହନ୍ତୁ ଆଉ ଅପମାନ ପାଆନ୍ତୁ । ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ବିଜେଡିକୁ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି । ସେ କହିଛନ୍ତି ଖୁବ୍ଶୀଘ୍ର ବିଜେଡି ଇତିହାସ ହୋଇଯିବ । ଆଜି ଦିନ ତମାମ ଜଣକ ପରେ ଜଣେ ବିଜେପି ନେତାଙ୍କ ଏଭଳି ବିସ୍ଫୋରଣ ରାଜ୍ୟ ରାଜନୀତିକୁ ଖୋରାକ୍ ଯୋଗାଇଛି ।
You Can Read:
ଅମାନବୀୟ : ବଙ୍ଗାଳୀ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ ଛେଚିଲେ, ହାତବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଲେ