ନୂଆଦିଲ୍ଲୀ ୦୫/୦୧: ଭୋଟ ଦେଉଛି ଦିଲ୍ଲୀ । ବିଧାନସଭା ପାଇଁ ଆଜି ହେଉଛି ମତଦାନ । ସକାଳ ୬ରୁ ଲୋକମାନେ ଧାଡିରେ ଆସି ଭୋଟ ଦେଉଛନ୍ତି । ହେଲେ ଏହାରି ଭିତରେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା । ପେଷାରେ ସେ ଜଣେ ଡାକ୍ତର କିନ୍ତୁ, ଏପରି କାମ କରିଛନ୍ତି ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । କାରଣ ଏହି ଭୋଟର ଜଣଙ୍କ ନିଜର ମତ ସାବ୍ୟସ୍ତ କରିବାକୁ ଯାତ୍ରା କରିଛନ୍ତି ଦୀର୍ଘ ୨୨ ଶହ କିଲୋମିଟର । ତା ପୁଣି ଦୁବାଇରୁ ଦିଲ୍ଲୀ । ଆଜ୍ଞା ହଁ ଆମେ କହୁଛୁ ସେହି ମହିଳା ଭୋଟରଙ୍କ ବିଷୟରେ ସାତ ଦରିଆ ପାର୍ କରି ଆସିଛନ୍ତି ଭୋଟ ଦେବାକୁ । ସେହି ମହିଳା ଭୋଟରଙ୍କ ନାମ ନିଶା ଭରଦ୍ୱାଜ । ପେଶାରେ ସେ ଜଣେ ଡାକ୍ତର । ଆଉ ସବୁଠାରୁ ରୋଚକ କଥା ହେଉଛି ସେ ଯେଉଁ ବୁଥରେ ଭୋଟ ଦେଲେ ତାଙ୍କ ଭୋଟ ହିଁ ଥିଲା ପ୍ରଥମ ଭୋଟ । ନିଶା ଖାଲି ଭୋଟ ଦେଇନାହାଁନ୍ତି ଲୋକଙ୍କୁ ବି ଅପିଲ କରିଛନ୍ତି ଭୋଟ ଦେବାକୁ । ନିଶାଙ୍କ କହିବା କଥା ବିଶ୍ୱର ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଦୁବାଇ । ସେଠାରେ ମହିଳାମାନେ ରାତି ୩ଟାରେ ବି ନିର୍ଭୟରେ ଯାତାୟତ କରିପାରନ୍ତି । ହେଲେ ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ ମହିଳା ସୁରକ୍ଷା ଏବେ ବି ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ସେ କହିଛନ୍ତି କି, ଦିଲ୍ଲୀରେ ଯିଏ ବି ସରକାର କରୁ, ହେଲେ ମହିଳା ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ମହିଳାମାନେ ନିଜକୁ ସୁରକ୍ଷିତ ମନେ କଲେ ଯାଇ ସେମାନଙ୍କର ବିକାଶ ହୋଇପାରିବ। ଯାହା ଦେଶ ବିକାଶର ଯୋଗଦାନ ହୋଇପାରିବ ବୋଲି ନିଶା କହିଛନ୍ତି । ଏହାସହ ସେ ଦିଲ୍ଲୀର ଭୋଟରମାନଙ୍କୁ ମତଦାନ କରିବାକୁ ଅନୁରୋଧ କରିଛନ୍ତି ।
କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ...