Indian Immigrants: ଆମେରିକାରୁ ବିଦା ହେଲେ ୨୦୫ ଭାରତୀୟ, ସି-୧୭ ବିମାନରେ ପଠାଗଲା ଭାରତ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଆମେରିକାରୁ ବିଦା ହେଲେ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟ । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଆମେରିକୀୟ ସେନାର ସାହାଯ୍ୟ ନେଇଛନ୍ତି ଟ୍ରମ୍ପ । ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଆମେରିକାର ଏକ ମିଲିଟାରୀ ଫ୍ଲାଇଟରେ ୨୦୫ଜଣ ବେଆଇନ ପ୍ରବାସୀଙ୍କୁ ଧରି ଭାରତ ଅଭିମୁଖେ ଉଡ଼ାଣ ଭରିଛି  ।

ଜଣେ ବିରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ନେଇ ସି-୧୭ ବିମାନ ଭାରତ ଅଭିମୁଖେ ଯାତ୍ରା କରୁଛି । ବର୍ତ୍ତମାନ ୧୮ ହଜାରରୁ ଅଧିକ ଭାରତୀୟ ବେଆଇନ ଭାବେ ଆମେରିକାରେ ରହୁଛନ୍ତି । ଭାରତୀୟଙ୍କ ଭିସା ଅବଧି ଶେଷ ହେବା ପରେ ମଧ୍ୟ ସେମାନେ ଆମେରିକାରେ ରହୁଛନ୍ତି । ପେଣ୍ଟାଗନର ସୂଚନା ମୁତାବକ, ଟେକ୍ସାସ ଏବଂ ସୋନ୍ ଡିଏଗା, କାଲିଫର୍ଣ୍ଣିଆରେ ୫ ହଜାରରୁ ଅଧିକ ପ୍ରବାସୀଙ୍କୁ ଚିହ୍ନଟ କରାଯାଇ ବାହାର କରାଯାଇଛି । ବର୍ତ୍ତମାନ ସେନା ବିମାନ ଜରିଆରେ ଗ୍ବାଟେମାଲା, ପେରୁ ଏବଂ ଡୋଣ୍ଡୁରକୁ ବେଆଇନ ପ୍ରବାସୀମାନଙ୍କୁ ପଠାଯାଇଛି ।     

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ମାସରେ ଏକ ପ୍ରେସ୍ ମିଟ୍ କରି କହିଥିଲେ, ଇତିହାସରେ ପ୍ରଥମ ଥର ପାଇଁ ଆମେରିକାରେ ରହୁଥିବା ବେଆଇନ ବିଦେଶୀଙ୍କୁ ଚିହ୍ନଟ କରି ବାହାର କରାଯାଉଛି । ଏପଟେ ପ୍ରବାସୀ ମୁଦ୍ଧାକୁ ଗୁରୁତର ଭାବେ ନେଇଛନ୍ତି ଭାରତ ସରକାର । ଆମେରିକା ପ୍ରଶାସନ ସହିତ ଆଲୋଚନା କରି ପ୍ରବାସୀଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛି । କିଛି ଦିନ ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପ୍ରସଂଗରେ ଭାରତ ସରକାର ଆମେରିକାକୁ ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି ।   ଆମେରିକାରେ କିଛି ଦିନ ପୂର୍ବରୁ ୫୩୮ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇଥିଲା । ସେନା ବିମାନରେ ଶତାଧିକ ପ୍ରବାସୀଙ୍କୁ ଆମେରିକାରୁ ବିତାଡ଼ିତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.