ନୂଆଦିଲ୍ଲୀ: ଓଡ଼ିଶା ଉପକୂଳରେ ବଢ଼ିଛି ହେନ୍ତାଳ ବନ । ୨୦୨୧ରୁ ୨୦୨୩ ମଧ୍ୟରେ ଜୁଆରିଆ ବନ ୨ ବର୍ଗ କି.ମି. ବଢ଼ିଛି । ଓଡ଼ିଶାରେ ୨୦୨୧ରେ ୨୫୭.୫୧ବର୍ଗ କି.ମି ହେନ୍ତାଳ ବନ ରହିଥିଲା ବେଳେ ୨୦୨୩ରେ ତାହା ୨୫୯.୦୬ ବର୍ଗ କି.ମିକୁ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟ ଭିତରେ ଦେଶରେ ହେନ୍ତାଳ ବନ ୪୯୯୯.୧୧ ବର୍ଗ କି.ମି.ରୁ ୪୯୯୧.୬୮ ବର୍ଗ କି.ମିକୁ ହ୍ରାସ ପାଇଛି ବୋଲି ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ-୨୦୨୩ରୁ ଜଣାପଡିଛି ।
ଏନେଇ ଲୋକସଭାରେ ସାଂସଦ କେସିନେନି ଶିବନାଥଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ । ସେ କହିଛନ୍ତି, ୨୦୨୧ରୁ ୨୦୨୩ ମଧ୍ୟରେ ଓଡ଼ିଶା ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ହେନ୍ତାଳ ବନ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗୁଜରାଟ ଓ ଆଣ୍ଡାମାନ- ନିକୋବର ଦ୍ୱୀପପୁଞ୍ଜରେ ହେନ୍ତାଳ ବନ ହ୍ରାସ ଘଟିଛି । ହ୍ରାସ ପାଉଥିବା ହେନ୍ତାଳ ବନର ପୁନରୁଦ୍ଧାର କରିବା ଲାଗି ୨୦୨୩- ୨୪ରେ ମ୍ୟାଙ୍ଗ୍ରୋଭ ଇନିସିଏଟିଭ୍ ଫର୍ ସୋରଲାଇନ ହାବିଟାଟ୍ସ ଆଣ୍ଡ ଟାଞ୍ଜିବୁଲ ଇନକମ୍ସ କାର୍ଯ୍ୟକାରୀ ହେଉଛି । କାମ୍ପା ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ମନ୍ରେଗା ଓ ରାଜ୍ୟ ଭିତ୍ତିକ ବିଭିନ୍ନ ଯୋଜନା ସହ ଏହାକୁ ସଂଲିପ୍ତ କରାଯାଇଛି । ୨୦୨୪-୨୫ରେ ଏଥିପାଇଁ କାମ୍ପା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଉଥିବା ବୋଲି କେନ୍ଦ୍ର ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ କହିଛନ୍ତି ।