ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ ଝଟକା; ୫.୨ ତୀବ୍ରତାରେ ଥରିଲା କାରଗିଲ୍

Published By : Prameya-News7 Bureau | March 14, 2025 IST

ନୂଆଦିଲ୍ଲୀ: ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ୫.୨ ତୀବ୍ରତା ସହିତ ଥରିଲା କାରଗିଲ୍ ସେକ୍ଟର । ଜାମ୍ମୁ-କାଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨.୫୦ ମିନିଟରେ ଭୂକମ୍ପ ହୋଇଛି । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ରହିଛି । 

ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମଲୋଜି ଅନୁଯାୟୀ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଲଦାଖ ଓ ଲେହ ଭୂମିକମ୍ପ କ୍ଷେତ୍ର-IVରେ ରହିଛି । ଏହି କ୍ଷେତ୍ରକୁ ବିପଦସଙ୍କୁଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨.୫୦ ମିନିଟରେ ଲଦାଖର କାରଗିଲ୍ କ୍ଷେତ୍ରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହା ପୂର୍ବରୁ ଫେବ୍ରୁଆରୀ ୨୭ ତାରିଖରେ ଆସାମର ମୋରିଗାଁ  ଜିଲ୍ଲାରେ ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହା ତୀବ୍ରତା ୫.୦ ରହିଥିଲା । ଭୂମିକମ୍ପ ଝଟକାରେ ଗୁହ୍ବାଟୀ ସମେତ ରାଜ୍ୟର ଅନ୍ୟ ଅଞ୍ଚଳ ଥରି ଉଠିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.