ଲକ୍ଷ୍ନୌ ୧୪।୩: ସାରା ଦେଶରେ ଶୁକ୍ରବାର ଧୁମଧାମରେ ପାଳିତ ହୋଇଛି ହୋଲି। ଆଜି ରମଜାନର ଦ୍ୱିତୀୟ ଜୁମା, ଏଣୁ ପୋଲିସ ପ୍ରଶାସନ ପୁରା ସତର୍କ ହୋଇ ରହିଛି। ଏଥିରେ ଉତ୍ତରପ୍ରଦେଶ ସମ୍ଭଲରେ ପୋଲିସ ପୁରା ଆଲର୍ଟ ମୋଡରେ ଥିବା ବେଳେ ଉଭୟ ହୋଲି ଓ ରମଜାନର ଶୁକ୍ରବାର ନମାଜ ମଧ୍ୟ ସ୍ୱଭାବିକ ଅନୁଷ୍ଠିତ ହୋଇଛି। ଗୁରୁବାର ରାତିରେ ହୋଲିକା ଦହନ ଅବସରରେ ଏସପି କୃଷ୍ଣ ବିଷ୍ଣୋଇ ଅଞ୍ଚଳରେ ଫୋଲିସ ଫୋର୍ସ ସହିତ ଫ୍ଲାଗମାର୍ଚ୍ଚ କରିଥିଲେ।
ଦୀର୍ଘ ୪୬ ବର୍ଷ ପରେ ସମ୍ଭଲର କାର୍ତ୍ତିକେୟ ମନ୍ଦିରରେ ହୋଲି ପାଳନ ହୋଇଥିବା ବେଳେ ଗଳି କନ୍ଦିରେ ଲୋକେ ମନଖୋଳା ଅବିର ଖେଳିଛନ୍ତି। ହୋଲି ପାଇଁ ହିନ୍ଦୁଙ୍କ ଦ୍ୱାରା ବାହାର କରାଯାଇଥିବା ଶୋଭାଯାତ୍ରାରେ ବ୍ୟାପକ ପୋଲିସ ଫୋର୍ସଙ୍କୁ ଦେଖିବାକୁ ମିଳିଛି। ନିଜେ ସିଓ ଅନୁଜ ଚୌଧୁରୀ ପରିସ୍ଥିତିରେ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଲୋକେ ଶାନ୍ତିପୂର୍ଣ୍ଣ ହୋଲି ଖେଳିଥିବା ବେଳେ ମସଜିଦରେ ସ୍ୱଭାବିକ ନମାଜ ହୋଇଛି। ଏଥିରେ କୌଣସି ସମସ୍ୟା ଉପୁଜି ନାହିଁ।
#WATCH | उत्तर प्रदेश के संभल में #Holi का जुलूस निकाला जा रहा है। pic.twitter.com/0T3i9oaC2j
— ANI_HindiNews (@AHindinews) March 14, 2025
ଉଲ୍ଲେଖଯୋଗ୍ୟ ଯେ ସମ୍ଭଲର ପ୍ରତି ଛକରେ ସିସିଟିଭି କ୍ୟାମେରା ଲଗାଯାଇଛି। ଲୋକଙ୍କ ହୋଲି ମଉଜ ଉପରେ ଡ୍ରୋନରୁ ପୋଲିସ ନଜର ରଖିଛି। ଏଥିରେ ଡିଏମ ରାଜେନ୍ଦ୍ର ପେନସିୟା କହିଛନ୍ତି ଯେ ପ୍ରଶାସନ ଉଭୟ ପକ୍ଷ ସହିତ ସମ୍ପର୍କ ରଖି ରହିଛି। ଉଲ୍ଲେଖଯୋଗ୍ୟ ଯେ ସମ୍ଭଲ ସିଓ ଆଜିକାଲି ଖୁବ୍ ଚର୍ଚ୍ଚାରେ । ସେ ହୋଲି ଓ ଜୁମେ ନମାଜକୁ ନେଇ ବିବାଦୀୟ ବୟାନ ଦେଇଥିଲେ। କହିଥିଲେ ଶୁକ୍ରବାର ନମାଜ ବର୍ଷରେ ୫୨ ଥର ପଢାଯାଉଛି। ହେଲେ ହୋଲି ବର୍ଷକରେ ଥରେ ପାଳିତ ହେବ।
ସେ କହିଥିଲେ ଯେ ଯଦି କାହାକୁ ହୋଲିର ରଙ୍ଗକୁ ନେଇ ସମସ୍ୟା ଥାଏ, ତେବେ ସେ ଘରେ କବାଟ କିଳି ରହନ୍ତୁ। ହୋଲିରେ ବାହାରକୁ ନ ବାହାରନ୍ତୁ। ସିଓଙ୍କ ଏହି ବୟାନକୁ ନେଇ ବିରୋଧୀ ଦଳ ହୋ ହଲ୍ଲା କରିଥିଲେ। ବିରୋଧୀ ଦଳ ସମ୍ଭଲ ସିଓଙ୍କ ବିପକ୍ଷରେ ମୋର୍ଚ୍ଚା ଖୋଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଓ ଅନୁଜଙ୍କ ପକ୍ଷ ନେଇଥିଲେ। କହିଥିଲେ ଅନୁଜ କିଛି ଭୁଲ କହି ନାହାନ୍ତି। ବର୍ଷକୁ ୫୨ ଥର ଶୁକ୍ରବାର ନମାଜ ହେଉଛି। ହେଲେ ହୋଲି ବର୍ଷକରେ ଥରେ ଖେଳାଯିବ। ଏଥିରେ କେହି ବାଧା ଦେଇ ପାରିବେନାହିଁ।