ପାକିସ୍ତାନକୁ ଭାରତର କଡ଼ା ଜବାବ: ଦୁନିଆ ଜାଣିଛି ବିଶ୍ୱ ଆତଙ୍କକବାଦର କେନ୍ଦ୍ର ସ୍ଥଳ କେଉଁଠି

Published By : Prameya-News7 Bureau | March 14, 2025 IST

indiatoday

ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତର କଡ଼ା ଜବାବ। ସାରା ଦୁନିଆ ଜାଣିଛି ପାକିସ୍ତାନ ବିଶ୍ୱ ଆତଙ୍କବାଦର କେନ୍ଦ୍ର ସ୍ଥଳ କେଉଁଠି ?। ଶୁକ୍ରବାର ପାକିସ୍ତାନ ଅଭିଯୋଗରେ ଏଭଳି ଉତ୍ତର ଦେଇଛନ୍ତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ। 

ମଙ୍ଗଳବାର ଜାଫର ଏକ୍ସପ୍ରେସ୍ ହାଇଜ୍ୟାକ୍‌ ନେଇ ପାକିସ୍ତାନ ଭାରତ ଉପରେ ଦୋଷ ଲଦିଥିଲା। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ପାକିସ୍ତାନ କହିଥିଲା ଭାରତ ଆତଙ୍କବାଦର ସ୍ପନ୍ସର। ଶୁକ୍ରବାର ଭାରତ ପକ୍ଷରୁ ଏହାର କଡ଼ା ଦିଆଯାଇଛି। ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ର ସ୍ଥଳ ବୋଲି ସାରା ଦୁନିଆଁ ଜାଣିଥିବା ଭାରତ କହିଛି। 

ରଣଧୀର ଜୈୟସ୍ୱାଲ କହିଛନ୍ତି “ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ଆମେ ଦୃଢ଼ ଭାବରେ ଖଣ୍ଡନ କରୁଛୁ। କାରଣ ସାରା ବିଶ୍ୱ ଏକଥା ଜାଣେ ଯେ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠି। ଅନ୍ୟ ଉପରେ ଆଙ୍ଗୁଳି ଉଠାଇବା ଓ ନିଜ ଭିତିରି ସମସ୍ୟାର ସମାଧାନ ନ କରି ଅନ୍ୟ ଉପରେ ଦୋଷ ଲଦିବା ବଦଳରେ ପାକିସ୍ତାନ ପ୍ରଥମେ ନିଜକୁ ଦେଖିବା ଉଚିତ।”

ପଢନ୍ତୁ- ପାକିସ୍ତାନରେ ଶୁକ୍ରବାର ନମାଜ ବେଳେ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ: ଇସ୍ଲାମିକ ନେତାଙ୍କୁ ଟାର୍ଗେଟ୍ କରି ହୋଇଥିଲା ଆଟାକ୍ !

ମଙ୍ଗଳବାର ଜାଫର ଏକ୍ସପ୍ରେସ ହାଇଜ୍ୟାକ୍ ଘଟଣା ପରେ ପାକିସ୍ତାନ ଭାରତ ଉପରେ ଦୋଷ ଲଦିଥିଲା। ତେବେ ଟ୍ରେନ ହାଇଜ୍ୟାକ୍ ମାମଲାରେ ଆଫଗାନିସ୍ତାନର ହାତ ଥିବା କହିଥିଲେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ସଫକତ ଅଲ୍ଲୀ ଖାନ। ସେ କହିଥିଲେ “ଆମର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବଂ ପୁଣିଥରେ, ତଥ୍ୟ ଅପରିବର୍ତ୍ତିତ ରହିଛି। ଭାରତ ପାକିସ୍ତାନ ବିରୁଦ୍ଧରେ ଆତଙ୍କବାଦକୁ ପ୍ରାୟୋଜିତ କରିବାରେ ସାମିଲ ଅଛି।" ଏହି ବିଶେଷ ଘଟଣାରେ, ଆମ ପାଖରେ କଲ୍‌ର ପ୍ରମାଣ ରହିଛି।”

ଖାନ ଆହୁରି କହିଥିଲେ ଯେ ଭାରତ ବିଶ୍ୱବ୍ୟାପୀ ହତ୍ୟା ଅଭିଯାନ ଚଳାଇଛି। ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକୁ ଅସ୍ଥିର କରୁଛି। ସେ ଭାରତୀୟ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରିଥିଲେ। ବଲୁଚିସ୍ତାନ ଲିବରେସନ ଆର୍ମିକୁ ଆମେ ଆତଙ୍କବାଦୀ ସଂଗଠନ କହୁଥିବା ବେଳେ ଭାରତୀୟ ମିଡିଆ ଏହାର ମହିମାଣ୍ଡନ କରୁଛି ବୋଲି ସେ ଅଭିଯୋଗ କରିଥିଲେ।  

ସେହିପରି ଆଫଗାନିସ୍ତାନକୁ ଟାର୍ଗେଟ କରି ଖାନ ଏହି ଘଟଣାରେ ଆଫଗାନିସ୍ତାନ ନିଜର ଉତ୍ତରଦାୟିତ୍ୱ ନେବା ଦରକାର ବୋଲି ଦାବି କରିଛନ୍ତି। ଆକ୍ରମଣକାରୀମାନେ ଘଟଣା ସମୟରେ ଆଫଗାନିସ୍ତାନର ଷଡ଼ଯନ୍ତ୍ରକାରୀଙ୍କ ସହିତ ଆଲୋଚନା କରୁଥିଲେ। ସିଧାସଳଖ ଯୋଗାଯୋଗରେ ଥିଲେ। ତେଣୁ ଆଫଗାନିସ୍ତାନ ଏହା ସ୍ୱୀକାର କରୁ ବୋଲି ସେ ଦାବି କରିଛନ୍ତି। ଏବଂ ପାକିସ୍ତାନକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନକୁ ଆଫଗାନିସ୍ତାନ ତା ମାଟିରେ ପରିଚାଳନା କରିବାକୁ ନ ଦେଉ ବୋଲି ସେ ଆହ୍ୱାନ ଦେଇଛନ୍ତି। 

ସେପଟେ ପାକିସ୍ତାନ ଅଭିଯୋଗକୁ ଖଣ୍ଡନ କରିଛି ତାଲିବାନ। ଏହି ଘଟଣାରେ ଆଫଗାନିସ୍ତାନର ସମ୍ପୃକ୍ତିକୁ ଖାରଜ କରିଛନ୍ତି ତାଲିବାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କ୍ୱାହାର ବଲଖି। ପାକିସ୍ତାନକୁ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜ ସୁରକ୍ଷାରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.