ଲକ୍ଷ୍ମୀଗାଛା ୧୪।୩: ଆଗାମୀ ଇଦ ପାଇଁ ବଜାରରୁ କିଣାକିଣି କରି ଲୋକେ ଇ-ରିକ୍ସା ଯୋଗେ ଘରକୁ ଫେରୁଥିଲେ। ହେଲେ ସେମାନେ ଘରେ ପହଞ୍ଚି ପାରି ନାହାନ୍ତି। ଏକ ଦ୍ରୁତଗାମୀ ଏସୟୁଭି ଗୋଟିଏ ପରେ ଗୋଟିଏ ୩ଟି ଇ-ରିକ୍ସାକୁ ଧକ୍କା ଦେଇଛି। ଫଳରେ ଇ-ରିକ୍ସାରେ ଯାତ୍ରା କରୁଥିବା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଘଟଣା ଶୁକ୍ରବାର ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଛାପ୍ରା ଲକ୍ଷ୍ମୀଗାଛାରେ ହୋଇଛି।
ଲୋକେ ଇଦ ପାଇଁ କିଣାକିଣି କରି ଇ-ରିକ୍ସାରେ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଏସୟୁଭି ଇ-ରିକ୍ସା ଗୁଡିକୁ ଧକ୍କା ଦେଇଥିଲା। ଫଳରେ ବୈଦୁତିକ ବାହନରେ ଯାତ୍ରା କରୁଥିବା ଲୋକେ ସଡ଼କ ଉପରେ ଛିନଛତ୍ର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚିତ କରିବା ସହିତ ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ ବୋଲି ଜନୈକ ପୋଲିସ ଅଧିକାରୀ କହିଛନ୍ତି।
ଦୁର୍ଘଟଣା ପରେ ଏସୟୁଭି ଚାଳକ ଫେରାର ହୋଇଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାହନକୁ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ପୋଲିସ ଅଧିକାରୀ ଆଶଙ୍କା କରିଛନ୍ତି। ତେବେ ଏସୟୁଭି ଦ୍ରୁତ ଗତିରେ ଥିବା ଯୋଗୁ ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଥିବାର ଆକଳନ କରାଯାଉଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।