ଔରଙ୍ଗଜେବ ଶାସନକୁ ବଳି ଯାଇଛି ବିଜେପି ସରକାର: ସଞ୍ଜୟ ରାଉତ

Published By : Prameya-News7 Bureau | March 14, 2025 IST

ମୁମ୍ବାଇ ୧୪।୩: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶୁକ୍ରବାର ବିଜେପି ସରକାରକୁ ମୋଗଲ ଶାସକ ଔରଙ୍ଗଜେବ ଶାସନ ସହ ତୁଳନା କରିଛନ୍ତି। କହିଛନ୍ତି ବିଜେପି ନୀତି ଯୋଗୁ ରାଜ୍ୟରେ ଚାଷୀ, ବେକାରୀ ଓ ମହିଳା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ଗଣମାଧ୍ୟମ ସହ ଆଲୋଚନାରେ ସଞ୍ଜୟ ରାଉତ କହିଛନ୍ତି ଯେ ଔରଙ୍ଗଜେବର ମୃତ୍ୟୁକୁ ୪୦୦ ବର୍ଷ ବିତିଗଲାଣି। ତାକୁ ଭୁଲି ଯାଆନ୍ତୁ, ମହାରାଷ୍ଟ୍ରରେ ଚାଷୀ ଓ ସାଧାରଣ ଲୋକେ ଔରଙ୍ଗଜେବ ଯୋଗୁ ଆତ୍ମହତ୍ୟା କରୁ ନାହାନ୍ତି, ବରଂ ବିଜେପି ସରକାର ଯୋଗୁ କରୁଛନ୍ତି। 

ସେ ପ୍ରଶ୍ନ କରିଛନ୍ତି ଯେ ଯଦି ମୋଗଲ ଶାସନରେ ଅତ୍ୟାଚାର ହେଉଥିଲା ତେବେ ଆଜିର ସରକାର କଣ କରୁଛନ୍ତି? ସଞ୍ଜୟ ରାଉତଙ୍କ ଏହି ବୟାନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ସେହି ବୟାନ ପରେ ଦେଇଛନ୍ତି ଯେଉଁଥିରେ ଫଡନବୀଶ କହିଥିଲେ ସବୁ ଲୋକେ ଚାହୁଁଛନ୍ତି ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ କବର ହଟାଇ ଦେବାକୁ, ତେବେ ଏହା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ହିଁ ସମ୍ଭବ ହୋଇ ପାରିବ। ଫଡନବୀଶ ଏହା ମଧ୍ୟ କହିଥିଲେ ଯେ କଂଗ୍ରେସ ସରକାର କାର୍ଯ୍ୟକାଳରେ ଏହି କବରକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ) ସଂରକ୍ଷଣରେ ରଖାଯାଇଥିଲା। 

ଏହା ପୂର୍ବରୁ ମରାଠା ରାଜା ଛତ୍ରପତି ଶିବାଜୀଙ୍କ ବଂଶଜ ତଥା ବିଜେପିର ସତ୍ରା ସାଂସଦ ଉଦୟନ ରାଜେ ଭୋସଲେ ଔରଙ୍ଗଜେବଙ୍କ କବର ହଟାଇବାକୁ ଦାବି କରିଥିଲେ। ମହାରାଷ୍ଟ୍ରରେ ଔରଙ୍ଗଜେବକୁ ମରାଠାମାନେ ସବୁଠୁ ବଡ଼ ଶତ୍ରୁ ବୋଲି ମନେ କରନ୍ତି। ତାଙ୍କ ଶାସନ କାଳରେ ମରାଠାମାନଙ୍କ ସହିତ ଅନେକ ଯୁଦ୍ଧ ହୋଇଥିଲା ଓ ଛତ୍ରପତି ଶିବାଜୀ ମହାରାଜଙ୍କ ପୁତ୍ର ସମ୍ଭାଜୀ ମହାରାଜଙ୍କୁ ଔରଙ୍ଗଜେବ ନିର୍ଦ୍ଦେଶରେ ଧରାଯାଇଥିଲା। ତାଙ୍କୁ ବିଭିନ୍ନ ଯାତନା ଦିଆଯିବା ସହ ହତ୍ୟା କରି ଦିଆଯାଇଥିଲା। ଏଣୁ ମହାରାଷ୍ଟ୍ର ରାଜନୀତିରେ ଏହି ପ୍ରସଙ୍ଗ ସର୍ବଦା ଉଷ୍ମ ରହିଆସିଛି। ଏବେ ଏହାକୁ ନେଇ ବିଜେପି ଓ ଶିବସେନା(ୟୁବିଟି) ମଧ୍ୟରେ ବିବାଦ ବଢିବାରେ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.