କୋଚ୍ଚି ୧୪।୩: ମହାତ୍ମା ଗାନ୍ଧିଙ୍କ ପଣନାତି ତୁଷାର ଗାନ୍ଧି ଶୁକ୍ରବାର କହିଛନ୍ତି ସେ ନିକଟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ଓ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଦେଇଥିବା ବୟାନଗୁଡିକୁ ନା ତ ପ୍ରତ୍ୟାହାର କରିବେ ନା ଏଥି ପାଇଁ ଭୁଲ ମାଗିବେ। ଏହି ବୟାନ ପରେ ଆରଏସଏସ୍ ଓ ବିଜେପି ପକ୍ଷରୁ ତୁଷାର ଗାନ୍ଧିଙ୍କ ଗିରଫ ଦାବି କରାଯାଇଛି। ନିକଟରେ ତିରୁଅନନ୍ତପୁରମ ନେୟାଟିନକାରାରେ ଦିବଙ୍ଗତ ଗାନ୍ଧିବାଦୀ ପି.ଗୋପିନାଥନ ନାୟରଙ୍କ ମୂର୍ତ୍ତି ଉନ୍ମୋଚନ ଅବସରରେ ତୁଷାର ଗାନ୍ଧି ବିବାଦୀୟ ବୟାନ ଦେଇଥିଲେ।
ସେ କହିଥିଲେ ଯେ ବିଜେପି ଓ ଆରଏସଏସ ‘ବିପଦଜନକ’ ଓ ‘କପଟି ଶତ୍ରୁ’ ଯାହା ଏବେ କେରଳକୁ ବି ପ୍ରବେଶ କରିସାରିଛି। ସେ ଆରଏସଏସକୁ ‘ଜହର’ ବୋଲି ମଧ୍ୟ କହିଥିଲେ। ଏହା ପରେ ବିଜେପି ଓ ଆରଏସଏସ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରିବା ସହ ତାଙ୍କ କାରକୁ ଅଟକାଇ ଥିଲେ। ଏହା ପରେ କୋଚ୍ଚି ନିକଟସ୍ଥ ଅଲୁଭାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗାନ୍ଧି କହିଛନ୍ତି ଯେ ‘ଥରେ ଯାହା ମୁଁ କହିଦିଏ ତାକୁ ପ୍ରତ୍ୟାହାର କରିବା ବା ଏଥି ପାଇଁ କ୍ଷମା ପ୍ରାର୍ଥନା କରିବାରେ ମୁଁ ବିଶ୍ୱାସ କରେନି’।
ସେ କହିଛନ୍ତି ଏହି ଘଟଣା ଦେଶଦ୍ରୋହୀଙ୍କ ମୁଖା ଖୋଲିବାକୁ ମୋ ସଂକଳ୍ପକୁ ମଜଭୁତ କରିଛି। ଏହା ଏକ ଏପରି ଲଢେଇ ଯାହା ସ୍ୱାଧୀନତା ସଂଗ୍ରାମ ଠାରୁ ମଧ୍ୟ ଅଧିକ ଜରୁରି। ସେ କହିଛନ୍ତି ଏବେ ଆମର ଏକମାତ୍ର ଶତ୍ରୁ ହେଉଛି ‘ସଂଘ’ ଏହାର ମୁଖା ଖୋଲାଯିବା ଦରକାର। ତୁଷାର ଗାନ୍ଧି ଏହା ମଧ୍ୟ କହିଛନ୍ତି ଯେ ମୋ ପ୍ରପିତାମହ ହତ୍ୟାକାରୀଙ୍କ ବଂଶଜ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ନିକଟକୁ ଯିବେ ଓ ତା ଉପରକୁ ଗୁଳି ଚଳାଇବେ, ଯାହା ସେମାନଙ୍କ ଅଭ୍ୟାସ।
ତେବେ ବିଜେପି ତାଙ୍କ ଉପରେ ପାଲଟା ଆକ୍ରମଣ କରିଛି। କହିଛି ଯେ ତୁଷାର ଗାନ୍ଧି ଜଣେ ଏପରି ବ୍ୟକ୍ତି ଯିଏ ମହାତ୍ମା ଗାନ୍ଧିଙ୍କ ବଂଶଜ ରୂପେ ଜନ୍ମ ହୋଇଛନ୍ତି ଓ ସେ ଏବେ ତାଙ୍କ ପ୍ରପିତାମହଙ୍କ ନାମକୁ ନେଇ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଭି. ମୂରଲୀଧରନ କହିଛନ୍ତି ଯେ ତୁଷାର ଗାନ୍ଧି ଗତ କିଛି ବର୍ଷ ହେଲା ମହାତ୍ମା ଗାନ୍ଧିଙ୍କ ନାମକୁ ଆର୍ଥିକ ଲାଭ ଉଦ୍ଦେଶ୍ୟରେ ଉପଯୋଗ କରୁଛନ୍ତି। ସେ କହିଛନ୍ତି ଯେ ବିଜେପିର ଅଭିଯୋଗ ଆଧାରରେ ତୁଷାର ଗାନ୍ଧିଙ୍କୁ ତୁରନ୍ତ ଗିରଫ କରାଯାଉ।