ଭୁବନେଶ୍ବର ୧୪।୩: ରାଜା ଚକ୍ର ଦୁର୍ନୀତି ଘଟଣାରେ କଡ଼ା ଆଭିମୁଖ୍ୟ ନେଇଛନ୍ତି ବିଜେପି ସରକାର । ରାଜା ଚକ୍ର ଯାହା ଛତ୍ରଛାୟା ତଳେ କାମ କରୁଥିଲା ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲା, ସେମାନେ ସମସ୍ତେ ଆଗାମୀ ଦିନରେ ନ୍ୟାୟିକ ପରିସରଭୁକ୍ତ ହେବେ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆହୁରି କହିଛନ୍ତି, ରାଜା ଚକ୍ରର କିଛି ମାଲିକ ବି ଥିଲେ । ତେଣୁ ଯେଉଁ ମାଲିକ ଓ ସହାୟକ ମାନେ ଥିଲେ, ସେମାନେ ବି ଧିରେ ଧିରେ ତଦନ୍ତ ପରିସରଭୁକ୍ତ ହେବେ । ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ । ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା ଉପରୁ ବି ପରଦା ହଟିବ । ବଦ୍ରି ପାତ୍ର ବହୁତ କଥା କହିଛନ୍ତି । କିନ୍ତୁ ଯେଉଁମାନେ ବି ରାଜା ଚକ୍ରକୁ ନିର୍ଦ୍ଦେଶ ଦେଉଥିଲେ ସହାୟକ ଥିଲେ, ସେମାନେ ତଦନ୍ତ ପରିସରକୁ ଆସିବେ ।
ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ତଦନ୍ତ ପରିସରକୁ ଆସିବେ କି ବୋଲି ପ୍ରଶ୍ନରେ ପୃଥ୍ବୀରାଜ କହିଛନ୍ତି, ଯେଉଁମାନେ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି, ଅପରାଧରେ ସଂପୃକ୍ତ ଅଛନ୍ତି, କୌଣସି ଲୋକଙ୍କୁ ବି ବିଜେପି ସରକାର କ୍ଷମା କରିବ ନାହିଁ । ଯେତେ ବଡ଼ ଲୋକ ହୁଅନ୍ତୁ ପଛେ ତାଙ୍କୁ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯିବ । ଏବେ ଗୋଟିଏ ଗୋଟିଏ ଲୋକ ଯନ୍ତାରେ ପଡ଼ୁଛନ୍ତି ଏବଂ ଆଗକୁ ମଧ୍ୟ ଆହୁରି ଅନେକ ଲୋକ ଯନ୍ତାରେ ପଡ଼ିବାର ସମ୍ଭାବନା ଅଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read:
ଜୟଦେବ ବିହାରରୁ ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ କରିଡ଼ର, ଏପ୍ରିଲ ସ୍ଥାପନ ହେବ ଭିତ୍ତିପ୍ରସ୍ତର