ନୂଆଦିଲ୍ଲୀ: ଚଳିତ ବର୍ଷ ଗୋଟିଏ ଦିନରେ ହୋଲି ଏବଂ ରମଜାନ ନମାଜ । ଗୋଟିଏ ପଟରେ ହିନ୍ଦୁ ସମ୍ପ୍ରଦାୟ ହୋଲିକୁ ନେଇ ଉତ୍ସାହିତ ରହିଥିବା ବେଳେ ଅନ୍ୟପଟେ ରମଜାନ ଜୁମାକୁ ନେଇ ମୁସଲିମ୍ ସମୁଦାୟ ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଉଛି । ହୋଲି ଏବଂ ରମଜାନ ନମାଜକୁ ନେଇ ପୂରା ଉତ୍ତର ପ୍ରଦେଶ ଉତ୍ସବମୁଖର ହୋଇଛି । ହେଲେ ଏହି ପର୍ବକୁ ନେଇ ସତର୍କ ହୋଇଛି ପୋଲିସ ପ୍ରଶାସନ । ପୂରା ରାଜ୍ୟରେ ହାଇ-ଆଲର୍ଟରେ ରହିଛି ପୋଲିସ । ସମ୍ଭଲରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ଆଇନଶୃଙ୍ଖଳା ପରିସ୍ଥିତି ସହ ମୁକାବିଲା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି ।
୬୪ ବର୍ଷ ପରେ...
୬୪ ବର୍ଷ ପରେ ହୋଲି ଏବଂ ରମଜାନ ଜୁମା ଗୋଟିଏ ଦିନରେ ପଡ଼ୁଛି । ଏହାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଯେତିକି ଉତ୍ସାହ ଦେଖିବାକୁ ମିଳିଛି, ସେତିକି ରାଜନୈତିକ ଚର୍ଚ୍ଚା ମଧ୍ୟ ଚାଲିଛି । ହୋଲି ଏବଂ ରମଜାନ ତାଓ୍ବାରେ ରାଜନୀତିର ରୁଟି ସେକିବାରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ପାର୍ଟିର ନେତାମାନେ । ତେଣୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ପୋଲିସ ।
ସତର୍କ ପୋଲିସ:
ରାଜ୍ୟର ସମ୍ବେଦନଶୀଳ ଜିଲ୍ଲା ମଧ୍ୟରେ ଶାହଜହାଁପୁର, ମିରଟ, ସାହରନପୁର, ଆଲ୍ଲିଗଡ଼ ରହିଛି । ସେହିପରି ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ମଧ୍ୟ ବିଶେଷ ସତର୍କତା ଜାରି କରାଯାଇଛି । ପ୍ରମୁଖ ସ୍ଥାନରୁ ବାହାରୁ ଥିବା ହୋଲି ସମାରୋହ ସମୟରେ ସ୍ବତନ୍ତ୍ର ପୋଲିସ ବଳ ଉପସ୍ଥିତ ରହିବ । ସାଧା ପୋଷାକରେ ଏଟିଏସ ଏବଂ ଏଟିଏଫର କମାଣ୍ଡୋ ମୁତୟନ ହେବେ । ଏହା ସହିତ ଜୁମା ନମାଜ ବେଳେ ଚେକିଂ ବ୍ଲକିଂ ମଧ୍ୟ ବଢ଼ିବ । ଏନେଇ ରାଜ୍ୟର ଡିଜି ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଡ୍ରୋନ୍ ଜଗିବ ହୋଲି ମାର୍ଗ:
ଉତ୍ତର ପ୍ରଦେଶ ପୋଲିସ ମୁଖ୍ୟାଳୟ ଅନୁଯାୟୀ, ହୋଲି ଦିନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୬୦ କମ୍ପାନି ଅତିରିକ୍ତ ପିଏସି ମଧ୍ୟ ମୁତୟନ ହେବେ । କାଶି, ମଥୁରା, ଅଯୋଧ୍ୟା ଏବଂ ଅନ୍ୟ ଧର୍ମିକସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତକୁ ସୁନିଶ୍ଚିତ କରାଯାଇଛି । ସେହିପରି ହୋଲି ସମାବେଶ ମାର୍ଗ ଡ୍ରୋନ୍ କ୍ୟାମେରା ନଜରରେ ରହିବ ବୋଲି କୁହାଯାଇଛି । ଚଳିତ ଥର ହୋଲି ପଡ଼ୁଥିବା ଦିନରେ ଜୁମା ନମାଜ ରହିଥିବାରୁ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି ।