କଂଗ୍ରେସ ବେଳେ ଗ୍ରହଣ ଯାଇଥିଲା, ସେତେବେଳେ କାହିଁକି ବିରୋଧ କଲନି; '₹' ପ୍ରସଙ୍ଗରେ DMK ଉପରେ ବର୍ଷିଲେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | March 13, 2025 IST

ନୂଆଦିଲ୍ଲୀ: ତାମିଲନାଡୁ ଷ୍ଟାଲିନ୍ ସରକାରର ଭାଷାକୁ ନେଇ କେନ୍ଦ୍ର ସହ ବଢୁଥିବା ବିବାଦ ଭିତରେ ଗୁରୁବାର ରାଜ୍ୟ ବଜେଟରୁ '₹' ଚିହ୍ନ ପରିବର୍ତ୍ତେ ତାମିଲ ଅକ୍ଷର ବ୍ୟବହାର କରିଥିଲେ । ଯାହାକୁ ନେଇ ଏବେ ରାଜନୀତି ଜୋର ହେବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜୋରଦାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ '₹' ଚିହ୍ନକୁ ପୂର୍ବର କଂଗ୍ରେସ ନେତୃତ୍ୱଧୀନ ୟୁପିଏ ସରକାର ସମୟରେ ଲାଗୁ କରାଯାଇଥିଲା, ସେହି ସମୟରେ ଡିଏମକେ ସରକାର କାହିଁକି ବିରୋଧ କରିନଥିଲା । ଏହା ଏକ ଭୟଙ୍କର ମାନସିକତାର ସଂକେତ, ଯାହା ଭାରତୀୟ ଏକତାକୁ ଦୁର୍ବଳ କରୁଛି ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ୍ସରେ ଲେଖିଛନ୍ତି, 'ଡିଏମକେ ସରକାର କଥିତ ରୂପେ ତାମିଲନାଡ଼ୁ ବଜେଟ୍ ୨୦୨୫-୨୬ର ଦସ୍ତାବିଜରୁ ସରକାରୀ ଭାରତୀୟ ଟଙ୍କାର ପ୍ରତୀକ '₹' ଚିହ୍ନକୁ ହଟାଇଛି । ଯଦି ଡିଏମକେ ସରକାରକୁ '₹' ଚିହ୍ନରେ ଅସୁବିଧା ଅଛି, ତେବେ ଏହାକୁ ୨୦୧୦ରେ କାହିଁକି ବିରୋଧ କଲା ନାହିଁ, ଯେତେବେଳେ ଏହାକୁ ୟୁପିଏ ସରକାର ସମୟରେ ଗ୍ରହଣ କରାଯାଇଥିଲା । ସେତେବେଳେ ଡିଏମକେ ସରକାରୀ ଦଳର ଅଂଶ ଥିଲା । ବିଡମ୍ୱନା ଏହା ଯେ '₹' ଚିହ୍ନକୁ ଡିଏମକେର ପୂର୍ବତନ ବିଧାୟକ ଏନ.ଧର୍ମଲିଙ୍ଗମଙ୍କ ପୁଅ ଟି.ଡି ଉଦୟ କୁମାର ଡିଜାଇନ୍ କରିଥିଲେ । ଏବେ ଏହାକୁ ହଟାଇ ଡିଏମକେ କେବଳ ଏକ ରାଷ୍ଟ୍ରୀୟ ପ୍ରତୀକକୁ ଖାରଜ କରୁନାହିଁ ବରଂ ଜଣେ ତାମିଲ ଯୁବକଙ୍କ ରଚନାତ୍ମକ ଯୋଗଦାନର ବି ଅବମାନନା କରୁଛି ।' 

ନିର୍ମଲା ସୀତାରମଣ ଆହୁରି ଲେଖିଛନ୍ତି, 'ଏହା ବ୍ୟତୀତ ତାମିଲ ଶବ୍ଦ ରୁପଇ ସଂସ୍କୃତ ଶବ୍ଦ ରୁପୟା ସହ ଜଡ଼ିତ, ଯାହାର ଅର୍ଥ ରୁପା ମୁଦ୍ରା । ଏହି ଶବ୍ଦ ତାମିଲ ବ୍ୟବସାୟ ଓ ସାହିତ୍ୟରେ ବହୁ ପୁରାତନ କାଳରୁ ଜଡ଼ିତ ଓ ଆଜି ବି ରୁପଇ ତାମିଲନାଡ଼ୁ ଓ ଶ୍ରୀଲଙ୍କାରେ ମୁଦ୍ରାର ନାଁ ହୋଇ ରହିଛି । ପ୍ରକୃତରେ ଇଣ୍ଡୋନେସିଆ, ମାଳଦ୍ୱୀପ, ମରିସସ, ନେପାଳ, ସେଶେଲ୍ସ ଓ ଶ୍ରୀଲଙ୍କା ସମେତ ଅନେକ ଦେଶରେ ସରକାରୀ ଭାବେ ରୁପୟା କିମ୍ୱା ଏହାର ସମତୁଲ୍ୟକୁ ନିଜ ମୁଦ୍ରାର ନାଁ ରୂପେ ପ୍ରୟୋଗ କରୁଛନ୍ତି । ରୂପେୟାର ପ୍ରତୀକ '₹'କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ଭାବରେ ଚିହ୍ନା ଯାଉଛି ଓ ବୈଶ୍ୱିକ ଆର୍ଥିକ ନେଣଦେଣରେ ଭାରତର ଦୃଶ୍ୟମାନ ପରିଚୟ ରୂପେ କାମ କରୁଛି । ଏଭଳି ସ୍ଥିତିରେ ସତରେ କଣ ନିଜର ରାଷ୍ଟ୍ରୀୟ ମୁଦ୍ରାକୁ ଆମେ ଦୁର୍ବଳ ଭାବେ ଚିହ୍ନିତ କରିବା ଦରକାର ?'

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନର୍ବାଚିତ ପ୍ରତିନିଧି ଓ ଅଧିକାରୀ ସମ୍ୱିଧାନ ଅଧିନରେ ଆମ ରାଷ୍ଟ୍ରର ସାର୍ବଭୌମତ୍ୱ ଓ ଅଖଣ୍ଡତା ପାଇଁ ଶପଥ ନିଅନ୍ତି । ରାଜ୍ୟ ବଜେଟ୍ ଦସ୍ତାବିଜରୁ '₹' ପରି ରାଷ୍ଟ୍ରୀୟ ପ୍ରତୀକକୁ ହଟାଇବା ସେହି ଶପଥର ବିରୋଧ ଅଟେ, ଯାହା ରାଷ୍ଟ୍ରୀୟ ଏକତା ପ୍ରତି ପ୍ରତିବଦ୍ଧତା ଦୁର୍ବଳ କରୁଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.