‘ମାଗଣା’ ଯୋଜନାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନାରାୟଣ ମୂର୍ତ୍ତି, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | March 13, 2025 IST

ମୁମ୍ବାଇ ୧୩।୩: ଇନଫୋସିସର ସହ ସଂସ୍ଥାପକ ଏନ.ଆର. ନାରାୟଣ ମୂର୍ତ୍ତି ‘ମାଗଣା’ ଯୋଜନାକୁ ନେଇ ସରକାରମାନଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ମାଗଣା ଜିନିଷରେ ଦାରିଦ୍ର୍ୟତା ଦୂର ହୁଏ ନାହିଁ। ଏହି ବିଷୟ ଉପରେ ସେ ‘ମୁମ୍ବାଇ-୨୦୨୫ ଟାଇକନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ମାଗଣା ଉପହାରରେ ନୁହେଁ, ଗରିବୀର ସମାଧାନ ଇନୋଭେଟିଭ ଉଦ୍ୟମୀଙ୍କ ରୋଜଗାର ସୃଜନରେ ହିଁ ସମ୍ଭବ ହୋଇପାରିବ। 

ଏନ.ଆର.ନାରାୟଣ ମୂର୍ତ୍ତି କହିଛନ୍ତି ଯେ ଯଦି ଦେଶ ଇନୋଭେଟିଭ ଏଣ୍ଟରପ୍ରାଇଜେସ ଆଡକୁ ବଢେ ତେବେ ଗରିବୀ ଏକ ଧୂଆଁଳିଆ ସ୍ମୃତି ଭଳି ମିଳେଇଯିବ। ସେ କହିଛନ୍ତି ‘ମୋର ପୁରା ବିଶ୍ୱସ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଶହଶହ ନିଯୁକ୍ତି ସୃଷ୍ଟି କରିବେ ଓ ଏହି ଭଳି ଦେଶରୁ ଗରିବୀ ସମସ୍ୟାକୁ ଦୂର କରାଯାଇ ପାରିବ। ମାଗଣା ଉପହାରରେ ଏହି ସମସ୍ୟାର କେବେବି ସମାଧାନ ହୋଇ ନପାରେ। କୌଣସି ଦେଶ ଏପରି କରି ସଫଳ ହୋଇ ନାହାନ୍ତି’। 

ନାରାୟଣ ମୂର୍ତ୍ତି କହିଛନ୍ତି ଯେ ଆଜିକାଲି ବିକ୍ରି କରାଯାଉଥିବା ଅଧିକାଂଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମାଧାନ ପୁରୁଣା ଓ ଅଚଳ କାର୍ଯ୍ୟକ୍ରମ। ଏହା ଭବିଷ୍ୟତରେ କାମରେ ଆସିବ ବୋଲି କହି ପ୍ରଚାରିତ କରାଯାଉଛି। ଏହା ଛଡା ସେ ମାଗଣା ବିଜୁଳି ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରମାନେ ୬ ମାସ ପରେ ସେହି ଘରମାନଙ୍କରେ ସର୍ଭେ କରନ୍ତୁ ଓ ଦେଖନ୍ତୁ ମାଗଣା ବିଜୁଳି ଯୋଜନା ଯୋଗୁ ପିଲାଙ୍କ ଶିକ୍ଷାର ସ୍ତର ଉନ୍ନତ ହୋଇଛି କି ନାହିଁ। 

ନାରାୟଣ ମୂର୍ତ୍ତି କହିଛନ୍ତି ଯେ ମାଗଣା ଯୋଜନା ଗୁଡିକୁ ଲାଭ ବଦଳେ ଏକ ସଂସ୍କାର ରୂପେ ଲାଗୁ କରାଯିବା ଦରକାର। ସେ କହିଛନ୍ତି ଯେ ମୁଁ ଭାବୁଛି ନୀତିଗତ ଦୃଷ୍ଟିକୋଣରୁ ଆମେ ସୁଧାର ଦିଗରେ କାମ କରିବା ଦରକାର, ଯାହା ଦ୍ୱାରା ଯୋଜନାଗୁଡିକର ପ୍ରଭାବ ବାସ୍ତବିକ ରୂପେ ଗରିବଙ୍କ ଉପରେ ପ୍ରତିଫଳିତ ହୁଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.