ମୁନସ୍ୟାରୀ ୧୩।୩: ସାରା ଦେଶ ଏବେ ରଙ୍ଗର ଉତ୍ସବ ହୋଲି ପାଇଁ ରଙ୍ଗୀନ ହେବାକୁ ଯାଉଛି। ଉତ୍ତରାଖଣ୍ଡରେ ମଧ୍ୟ ଲୋକେ ଧୁମ ଧାମରେ ହୋଲି ଉତ୍ସବ ପାଳନ କରନ୍ତି। ହେଲେ ଏଠାକାର ଦୁର୍ଗମ ପାହାଡି ଗାଁମାନଙ୍କରେ ହୋଲି ଖେଳାଯାଏନି ବୋଲି ଖୁବ୍ କମ ଲୋକେ ଜାଣିଥିବେ। ଏହିପରି ଏକ ଜାଗା ହେଉଛି ମୁନସ୍ୟାରୀ ଯେଉଁଠି ଲୋକେ ଗତ ଦେଢଶହ ବର୍ଷ ହେଲା ହୋଲି ଖେଳି ନାହାନ୍ତି। ପ୍ରକୃତିର ସୁନ୍ଦରତମ ସ୍ଥାନରେ ଥିବା ମୁନସ୍ୟାରୀ ଭଳି ୧୨୫ରୁ ଅଧିକ ଗାଁର ଲୋକେ ହୋଲି ଉତ୍ସବ ପାଳନ କରନ୍ତି ନାହିଁ। ତେବେ କାହିଁକି ଆସନ୍ତୁ ଜାଣିବା।
ସାମା କ୍ଷେତ୍ରର ୧୨ରୁ ଅଧିକ ଗ୍ରାମରେ ଏପରି ମାନ୍ୟତା ପ୍ରଚଳିତ ରହିଛି ଯେ ଗାଁ ଲୋକେ ଯଦି ହୋଲିରେ ରଙ୍ଗ ଖେଳିବେ ତେବେ ସେମାନଙ୍କୁ କୂଳ ଦେବତା ଦଣ୍ଡ ଦେବେ। ନା କେବଳ ଉତ୍ତରାଖଣ୍ଡର କୁମାଉଁ କ୍ଷେତ୍ର ଗଡୱାଲର ରୁଦ୍ରପ୍ରୟାଗ, କ୍ୱିଲୀ, ଝୁରଝାଙ୍ଗ ଓ ୧୨୫ରୁ ଅଧିକ ଗାଁର ଲୋକେ କୂଳ ଦେବତୀ ତ୍ରିପୁରା ସୁନ୍ଦରୀଙ୍କ କୋପ କାରଣରୁ ହୋଲି ଖେଳନ୍ତି ନାହିଁ। ଏଠାକାର ଲୋକେ ଆସ୍ଥା ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି। ଏପରି ଆସ୍ଥାକୁ ଗୁରୁତ୍ୱ ଦେଉଥିବା ଲୋକଙ୍କ ମଧ୍ୟରେ କେଦାରଙ୍କ ପ୍ରତି ଆସ୍ଥା ରଖୁଥିବା ଲୋକେ ମଧ୍ୟ ହୋଲି ଖେଳନ୍ତି ନାହିଁ।
ଲୋକମାନ୍ୟତା ରହିଛି ଯେ ଚିପଲା କେଦାର ନା କେବଳ ଲୋକଙ୍କ ରଙ୍ଗ ଖେଳରେ ଅସନ୍ତୁଷ୍ଟ ହୁଅନ୍ତି ହୋଲି ଗୀତରେ ମଧ୍ୟ ରାଗି ଯାଆନ୍ତି। ୩୭୦୦ ମିଟର ପାହାଡ଼ ଉପରେ ଥିବା ଚିପଲା କେଦାରଙ୍କ ପୂଜା ଓ ଶୋଭାଯାତ୍ରାରେ ଲୋକଙ୍କୁ ରଙ୍ଗୀନ ପୋଷାକ ପିନ୍ଧିବାର ଅନୁମତି ଦିଆଯାଏନି। ଦେବତାଙ୍କ ପୂଜା କାଳରେ ଗାଁ ଲୋକେ ଓ ପୂଜାରୀ କେବଳ ଶ୍ୱେତ ବସ୍ତ୍ର ପରିଧାନ କରନ୍ତି।
କେବଳ ଉତ୍ତରାଖଣ୍ଡ ନୁହେଁ ଦେଶର ଅନେକ ସ୍ଥାନରେ ଲୋକେ ହୋଲି ଖେଳନ୍ତି ନାହିଁ। ଏଥିରେ ଝାଡଖଣ୍ଡର ବୋକାରୋ ଜିଲ୍ଲାରେ ଆଦିବାସୀ ବହୁଳ ଗାଁ ଦୁର୍ଗପୁରରେ ମଧ୍ୟ ଲୋକେ ହୋଲି ଖେଳନ୍ତିନି। ଏଠାରେ ରାଜାଙ୍କ ଆଦେଶ କାରଣରୁ ଲୋକେ ଶହଶହ ବର୍ଷରୁ ହୋଲି ଖେଳୁ ନାହାନ୍ତି। ସେହିପରି ତାମିଲନାଡୁରେ ହୋଲି ଦିନ ମାସି ମଗମ ନାମକ ଧାର୍ମିକ ଅନୁଷ୍ଠାନ କରାଯାଏ। ଗୁଜରାଟର ରାମସନ ଗାଁରେ ଜଣେ ସନ୍ଥଙ୍କ ଅଭିଶାପ କାରଣରୁ ଗତ ୨୦୦ ବର୍ଷ ହେଲା ହୋଲି ଉତ୍ସବ ପାଳନ ହେଉ ନାହିଁ।