ନିଜ ଜିଦ୍ ପାଇଁ ଗୋଡ଼ରେ କୁରାଢୀ ମାରୁନାହାନ୍ତି ତ ଷ୍ଟାଲିନ୍?

Published By : Prameya-News7 Bureau | March 13, 2025 IST

ଚେନ୍ନାଇ ୧୩।୩: ତାମିଲନାଡୁ ଡିଏମକେ ସରକାର ବଜେଟ୍ ନିମନ୍ତେ ଗୁରୁବାର ଯେଉଁ ଲୋଗୋ ଜାରି କରିଛନ୍ତି ଏଥିରେ ଭାରତୀୟ ମୁଦ୍ରାର ପ୍ରତୀକ ଚିହ୍ନ ସ୍ଥାନରେ ଏକ ତାମିଲ ଅକ୍ଷରର ଉପଯୋଗ କରିଛନ୍ତି। ଏହି ତାମିଲ ଶବ୍ଦ ‘ରୁବୈୟ’ର ପ୍ରଥମ ଅକ୍ଷର। ତାମିଲ ଭାଷାରେ ଟଙ୍କାକୁ ରୁବୈୟ କୁହାଯାଏ। ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ କହିବା କଥା ହେଉଛି ଏହା ତାମିଲନାଡୁର ପରିଚୟ ସହ ସମ୍ପୃକ୍ତ। ତେବେ ଏହାକୁ ବିଜେପି ଦେଶ ବିଭାଜନର ସଂକେତ ବୋଲି କହୁଛି। ହେଲେ ଆସନ୍ତୁ ଜାଣିବା କଣ ହୋଇପାରେ ଏହି ପର୍ବର୍ତ୍ତନର ପ୍ରଭାବ। 

ଟଙ୍କା ନେଣଦେଣରେ ପ୍ରଭାବ
₹ ଚିହ୍ନ ଭାରତୀୟ ମୁଦ୍ରାର ପରିଚୟ ଅଟେ, ଯାହାକୁ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ୱୀକାର କରନ୍ତି। ଏଥିରେ ଯଦି ତାମିଲନାଡୁ ଏଥି ପାଇଁ ଅଲଗା ଚିହ୍ନ ପ୍ରଚଳନ କରିବ ତେବେ ଦେଶରେ ମୁଦ୍ରାର ଏକା ଭଳି ପରିଚୟ ରହିବ ନାହିଁ ଓ ଏକତା ଦୁର୍ବଳ ହେବ। ଦେଶ ଓ ବିଦେଶରେ ଲୋକେ ଭାବିବେ ତାମିଲନାଡୁର ପଇସା ଭାରତ ଠାରୁ ଭିନ୍ନ। ଏଣୁ ନେଣଦେଣରେ ଅସୁବିଧା ହେବ। ବ୍ୟାଙ୍କ, ଟ୍ୟାକ୍ସ, ସରକାରୀ କାମ, ସେୟାର ବଜାର ଓ ବିଦେଶୀ ନିବେଶରେ ସମସ୍ୟା ଉପୁଜିବ। 

ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ
ତାମିଲନାଡୁ ଅର୍ଥ ବ୍ୟବସ୍ଥାର ଆକାର ଦେଶର ଅନ୍ୟରାଜ୍ୟଙ୍କ ତୁଳନାରେ ବଡ଼। ଭାରତର ମୋଟ ଆୟରେ ଏହାର ବଡ଼ ଯୋଗଦାନ ରହିଛି। ଯଦି ତାମିଲନାଡୁ ତାର ରିପୋର୍ଟ, ବଜେଟ ଓ ସରକାରୀ କାଗଜ ପତ୍ରରେ ରୁପୟା ସ୍ଥାନରେ ରୁବୈୟ ଚିହ୍ନ ଓ ଆରଏସ୍ ଲେଖିବ ତେବେ ଅନ୍ୟ ରାଜ୍ୟଙ୍କ ସହ କାରବାରରେ ସମସ୍ୟା ଉପୁଜିବ। ନିବେଶକ ଓ ବିଦେଶୀ କମ୍ପାନୀମାନେ ଭାବିବେ ଦେଶର ଆର୍ଥିକ ନୀତି ବଦଳୁଛି। ଏଣୁ ନିବେଶ ହ୍ରାସ ହୋଇପାରେ। ଜିଏସଟି, ଟ୍ୟାକ୍ସ, ବ୍ୟାଙ୍କିଙ୍ଗ ଓ ସେୟାର ବଜାର ଉପରେ ଖରାପ ପ୍ରଭାବ ପଡିବ। 

ରାଜନୀତି ଓ ସମ୍ବିଧାନ ଉପରେ ପ୍ରଭାବ
ଭାରତୀୟ ସମ୍ବିଧାନ ଅନୁସାରେ ଟଙ୍କା, ପଇସା ଓ ନୋଟ୍ ଛାପିବା ପାଇଁ ଏବଂ ଏହାର ପରିଚୟ ନିର୍ଦ୍ଧାରଣର ହକ୍ କେବଳ କେନ୍ଦ୍ର ସରକାରଙ୍କର ରହିଛି। ଏଥିରେ ତାମିଲନାଡୁ ଯଦି ତାର ନିଜର ସଂକେତ ବ୍ୟବହାର କରେ ତେବେ ଏହା ସମ୍ବିଧାନ ବିରୋଧୀ ହେବ। ଏହା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବଢିବ। ତାମିଲନାଡୁ ଭଳି ଅନ୍ୟ ରାଜ୍ୟମାନେ ମୁଦ୍ରାପାଇଁ ନିଜନିଜ ସଂକେତ ବ୍ୟବହାର କରିବେ, ୟାହା ଦ୍ୱାରା ଦେଶର ଏକତା ପାଇଁ ବିପଦ ଉପୁଜିବ। 

ସମାଜ ଓ ସଂସ୍କୃତି ଉପରେ ପ୍ରଭାବ
ଏହା ଦ୍ୱାରା ତାମିଲ ଭାଷା ଓ ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ। ହେଲେ ଦେଶର ଏକତା ଦୁର୍ବଳ ହେବ। ଅନ୍ୟ ରାଜ୍ୟ ବି ନିଜ ଭାଷାରେ ଟଙ୍କା ପାଇଁ ସେମାନଙ୍କ ନିଜ ଚିହ୍ନ ବ୍ୟବହାର କରିବେ। ବେଙ୍ଗଲ, କେରଳ ଓ ପଞ୍ଜାବ ଏପରି ଦାବି ଉଠାଇ ପାରନ୍ତି। ନିଜନିଜ ଭାଷାରେ ଟଙ୍କାର ସାଂକେତିକ ଚିହ୍ନ ବ୍ୟବହାର କରିପାରନ୍ତି। 

ବୈଷୟିକ ସମସ୍ୟା
ବ୍ୟାଙ୍କ ସଫ୍ଟୱେର, ସରକାରୀ ଫାର୍ମ, ଅନଲାଇନ ନେଣଦେଣ, ଜିଏସଟି ପୋର୍ଟାଲ ଆଦିରେ ମଧ୍ୟ ଏହି ପରିବର୍ତ୍ତନ କରିବାକୁ ପଡିବ। ଏଥି ପାଇଁ ଅନେକ ପ୍ରକାରର ବୈଷୟିକ ତ୍ରୁଟି ଦେଖାଯିବ। ଖର୍ଚ୍ଚ ବଢିବ ଓ କାର୍ଯ୍ୟରେ ବିଳମ୍ବ ହେବ। ସିଧାଶଳଖ ଭାବେ କହିବାକୁ ଗଲେ ବାଣିଜ୍ୟ, ବ୍ୟବସାୟ, ନିବେଶ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ତ୍ରୁଟି ଓ ଅସ୍ଥିରତା ଉପୁଜିବ। ଦେଶରେ ମୁଦ୍ରାର ପରିଚୟ ବିପଦରେ ପଡିବ। ଏଥି ପାଇଁ କେନ୍ଦ୍ର, ରାଜ୍ୟ ବିବାଦ ବଢିବ ଓ ସମ୍ବିଧାନ ବିପଦରେ ପଡିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.