‘ରାଷ୍ଟ୍ରପତିଙ୍କ ଗାରିମାକୁ ଅପମାନ’, ସୋନିଆଙ୍କ ବିରୋଧରେ ବିଜେପିର ବିଶେଷାଧିକାର ହନନ ନୋଟିସ୍

Published By : Prameya-News7 Bureau | February 03, 2025 IST

News7

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ବୟାନ ଦେଶ ରାଜନୀତିକୁ ଉଷ୍ଣ କରିଛି। ବିଜେପି ସୋନିଆଙ୍କ ବୟାନକୁ ତୀବ୍ର ବିରୋଧ କରିବା ସହ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ବିରୋଧରେ ସଂସଦରେ ବିଶେଷାଧିକାର ହନନ ପ୍ରସ୍ତାବ ଉପସ୍ଥାପନ କରିଛି। ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିଥିବା ଶାସକ ଦଳ ବିଜେପି ଅଭିଯୋଗ କରିଛି। 

ବିଜେପି କହିଛି ଯେ, ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପ୍ରାଧିକାର  ଭାରତର ରାଷ୍ଟ୍ରପତିଙ୍କ ସମ୍ମାନ ଓ ଗାରିମାକୁ ଅପମାନିତ କରିବା ଭଳି ପ୍ରତୀତମାନ ହେଉଛି ଏମିତି ଟିପ୍ପଣୀ କେବଳ ରାଷ୍ଟ୍ରପତି କାର୍ଯ୍ୟାଳୟର ଗାରିମାକୁ ଦୁର୍ବଳ କରୁନି ବରଂ ସଂସଦୀୟ ପ୍ରକ୍ରିୟା ଓ ପରମ୍ପରାର ପବିତ୍ରତାକୁ ମଧ୍ୟ ଉଲ୍ଲଂଘନ କରୁଛି। ତେଣୁ ବିଜେପିର ସାଂସଦମାନେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ନୋଟିସ୍ ଆଣିଛନ୍ତି।

କ'ଣ କହିଥିଲେ ସୋନିଆ ଗାନ୍ଧୀ ?

ଜାନୁଆରୀ ୩୧ ବଜେଟ୍ ଅଧିବେଶନ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ସଂସଦକୁ ସମ୍ବୋଧିତ କରିବା ପରେ  ସୋନିଆ ଗାନ୍ଧୀ ସଂସଦ ପରିସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, “ପୁଅର ଲେଡି, ସେ ବହୁତ ଥକି ପଡିଥିଲେ, ଠିକ୍‌ରେ କହି ପାରୁ ନ ଥିଲେ, ବିଚାରୀ ମହିଳା”।

ରାଷ୍ଟ୍ରପତି ଭବନ ସୋନିଆଙ୍କ ଏହି ମନ୍ତବ୍ୟକୁ ଅସ୍ଵୀକାର୍ଯ୍ୟ ଦର୍ଶାଇବା ସହ ରାଷ୍ଟ୍ରପତି ଥକି ନ ଥିଲେ ବୋଲି କହିଥିଲେ। ବିଜେପି ନେତା ଏହି ବୟାନକୁ ନେଇ ସୋନିଆ ଗାନ୍ଧୀଙ୍କୁ ଶାଣିତ ସ୍ଵରରେ ହମଲା କରିଥିଲେ।  ଏହି ବୟାନ କେବଳ ଆଦିବାସୀ ସମୁଦାୟ ନୁହେଁ ବରଂ ପୂରା ଗଣତନ୍ତ୍ର ପାଇଁ ଅପମାନଜନକ ବୋଲି ଦଳ କହିଥିଲା। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.